ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ ବଜାରରୁ ୨୦୦୦ ଟଙ୍କିଆ ନୋଟ ହଟାଇବା ଲାଗି ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି ବିରୋଧୀ । ବଜାରରେ ୨୦୦୦ ଟଙ୍କିଆ ପ୍ରଚଳନ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଏକ ବଡ଼ ବିଫଳତା ବୋଲି ବିରୋଧୀ ଅଭିଯୋଗ ଆଣିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ସଚିବ ନୃପେନ୍ଦ୍ର ମିଶ୍ରା । ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କିଆ ନୋଟକୁ କେବେ ହେଲେ ଗରିବଙ୍କ ନୋଟ ବୋଲି ଭାବିନଥିଲେ । ସେ ଏହି ନିଷ୍ପତ୍ତି ବିରୋଧରେ ଥିଲେ । ହେଲେ ବିମୁଦ୍ରୀକରଣ ବେଳେ ଖୁବ କମ ସମୟରେ ନିଷ୍ପତ୍ତି ନେବାର ଥିବାରୁ ସେ ନିଜ ଟିମର ନିଷ୍ପତ୍ତିକୁ ଅନିଚ୍ଛା ସତ୍ତ୍ବେ ସମର୍ଥନ କରିଥିଲେ ବୋଲି ସେ କହିଛନ୍ତି ।
ଆଜି ଗଣମାଧ୍ୟମକୁ ନୃପେନ୍ଦ୍ର ପ୍ରତିକ୍ରିୟା ରଖି କହିଛନ୍ତି, "ବିମୁଦ୍ରୀକରଣ ସମୟରେ ଖୁବ କମ ସମୟରେ ନିଷ୍ପତ୍ତି ନେବାର ଥିଲା । ସେଥିଲାଗି ସେ ନିଜ ଟିମର ନିଷ୍ପତ୍ତିକୁ ଅନିଚ୍ଛା ସତ୍ତ୍ବେ ସମର୍ଥନ କରିଥିଲେ । ସେ କେବେ ହେଲେ ୨୦୦୦ ଟଙ୍କିଆ ନୋଟକୁ ଗରିବଙ୍କ ନୋଟ ବୋଲି ଭାବିନଥିଲେ । ସେ ଏହା ଜାଣିଥିଲେ ଯେ ବଜାରରେ ୨୦୦୦ ଟଙ୍କିଆ ନୋଟକୁ ନେଇ ନେଣଦେଣ ସେତେଟା ବ୍ୟବାହର ହେବ ନାହିଁ । ୨୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ଯେତେବେଳେ ହଟାଇବା ଲାଗି ନିଷ୍ପତ୍ତି ହୋଇଥିଲା, ଏହାକୁ ସେ ବିମୁଦ୍ରୀକରଣ ନୁହେଁ ବରଂ ନୋଟର ହଟାଇବା ପ୍ରକ୍ରିୟା ବୋଲି କହିଥିଲେ ।"
ଏହା ବି ପଢନ୍ତୁ- '2000 ଟଙ୍କିଆ ନୋଟ ନେବାକୁ ଦୋକାନୀ ଅଗ୍ରାହ୍ୟ କରିବେନି '
'ପ୍ରଧାନମନ୍ତ୍ରୀ ଚାହୁଁନଥିଲେ ଗରିବ ପ୍ରଭାବିତ ହୁଅନ୍ତୁ':-ପୂର୍ବତନ ସଚିବ ନୃପେନ୍ଦ୍ର ମିଶ୍ରା ଆହୁରି କହିଛନ୍ତି ଯେ ବିମୁଦ୍ରୀକରଣ ସମୟରେ ଯେତେବେଳେ ସ୍ବତନ୍ତ୍ର ଟିମ ୨୦୦୦ ଟଙ୍କିଆ ପ୍ରଚଳନକୁ ନେଇ ପରାମର୍ଶ ଦେଇଥିଲା ଏହା ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ଆସିନଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଥିଲେ ଯେ ଗରିବ ବା ମଧ୍ୟବିତ୍ତ ପରିବାର ୨୦୦୦ ଟଙ୍କିଆ ନୋଟ ଅପେକ୍ଷା ଅଧିକ ୫୦୦ ଓ ୧୦୦୦ ଟଙ୍କିଆ ନୋଟର ବ୍ୟବହାର କରିବେ । ପ୍ରଧାନମନ୍ତ୍ରୀ କେବେ ହେଲେ ଗରିବଙ୍କୁ ପ୍ରଭାବିତ କରିବାକୁ ଚାହୁଁନଥିଲେ ବୋଲି କହିଛନ୍ତି ନୃପେନ୍ଦ୍ର । ଏଥିଲାଗି ସେ ପ୍ରାରମ୍ଭରୁ ଏହି ନୋଟ ପ୍ରଚଳନ ଉପରେ ନାଖୁସ୍ ଥିଲେ ବୋଲି ସେ କହିଛନ୍ତି ।
ସେପ୍ଟେମ୍ବର ୩୦ସୁଦ୍ଧା ଚାଲିବ ବଦଳାଇହେବ ନୋଟ:-ଆସନ୍ତାକାଲି (ମେ ୨୩)ଠୁ ସେପ୍ଟେମ୍ବର ୩୦ ସୁଦ୍ଧା ଲୋକେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ତଥା ପାଖ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ । ଜଣେ ବ୍ୟକ୍ତି ଥରକେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ ବଦଳାଇପାରିବେ । ଗ୍ରାମାଞ୍ଚଳରେ ଲୋକେ ବ୍ୟାଙ୍କ ମିତ୍ରଙ୍କ ନିକଟରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ ବଦଳାଇପାରିବେ । ହେଲେ ଏଠାରେ ୪ହଜାର ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ ବଦଳାଇହେବ । ଗତକାଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଥିଲା । ନୋଟ ବଦଳାଇବା ସମୟରେ କୌଣସି ପ୍ରକାର ପରିଚୟ ପତ୍ରର ଆବଶ୍ୟକ ହେବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।