ନୂଆଦିଲ୍ଲୀ: ଆଜି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ । ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିଲେ । ତେଣୁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅବଦାନକୁ ମନେ ପକାଇଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ଦେଶ ପ୍ରତି ତାଙ୍କ ଅବଦାନ ସବୁବେଳେ ସ୍ମରଣୀୟ । ଆଜିର ଦିନରେ ଦେଶପ୍ରତି ତାଙ୍କ ଅବଦାନକୁ ମନେ ପକାଉଛି ।''
ସେହିପରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରର୍ଗେ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦିଲ୍ଲୀ ଶାନ୍ତି ବନରେ ଥିବା ତାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରର୍ଗେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ''ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ନେହେରୁଙ୍କ ବିନା ଭାରତର ଏକବିଂଶ ଶତାଦ୍ଧୀ କଳ୍ପନା କରି ହେବ ନାହିଁ । ଦେଶ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ଜବାହାରାଲାଲଙ୍କୁ ଗଣତନ୍ତ୍ରର ଚମ୍ପିୟନ (Champion of Democracy) ବୋଲି କହିଛନ୍ତି ମଲ୍ଲିକାର୍ଜୁନ । ଅନେକ ଚ୍ୟାଲେଞ୍ଜ ସତ୍ତ୍ବେ ସେ ଦେଶର ଅର୍ଥନୀତିକୁ ଆଗକୁ ନେଇଥିବା କହିଛନ୍ତି ।''