ନୂଆଦିଲ୍ଲୀ:ଚଳିତ ମାସ 4 ତାରିଖରେ ମଣିପୁର ଏବଂ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ରବିବାର) ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଜାରି ବିବୃତ୍ତିରେ ସୂଚନା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମଣିପୁରରେ ପ୍ରାୟ 1850 କୋଟିର 13ଟି ପ୍ରକଳ୍ପର ଉଦଘାଟନ କରିବା ସହ 2,950 କୋଟିର 9 ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି ତ୍ରିପୁରାରେ ବୀର ବିକ୍ରମ ବିମାନବନ୍ଦରରେ ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ ସହ ଏବଂ ଅନ୍ୟ ଦୁଇଟି ପ୍ରମୁଖ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ମଣିପୁରରେ 1,700 କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମୋଟ 110 କିଲୋମିଟରରୁ ଅଧିକ ଲମ୍ବ ବିଶିଷ୍ଟ ଏହି ରାଜପଥ ଗୁଡିକର ନିର୍ମାଣ ଫଳରେ ଏହି ଅଞ୍ଚଳର ସଡ଼କ ସଂଯୋଗ ଓ ଯୋଗାଯୋଗକୁ ସୁଦୃଢ କରାଯାଇ ପାରିବ ବୋଲି କର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସେହିପରି 75 କୋଟିରୁ ଅଧିକ ବ୍ୟୟରେ NH-37ରେ ବାରକ ନଦୀ ଉପରେ ନିର୍ମିତ ଇସ୍ପାତ ବ୍ରିଜକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ବୋଲି PMO କହିଛି ।