ଥିରୁଅନନ୍ତପୁରମ:ଭାରତ-ମାଳଦ୍ବୀପ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ପୁଣି ଥରେ କେରଳ ଗସ୍ତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେରଳ- ଲାକ୍ଷାଦ୍ବୀପ ଗସ୍ତର ମାତ୍ର 2 ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ପୁଣି ଥରେ 16 ତାରିଖରୁ 2 ଦିନିଆ କେରଳ ଗସ୍ତ କରିବାକୁ ଯାଉଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିନଥିଲେ ସୁଦ୍ଧା କେରଳ ବିଜେପି ୟୁନିଟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛି ।
କେରଳ ରାଜ୍ୟ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ 16 ତାରିଖରେ ପ୍ରଥମେ କୋଚିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରେ ସେ ଏକ ରୋଡ ସୋ’ରେ ଅଂଶଗ୍ରହଣ କରିବେ । ପରଦିନ (17 ତାରିଖରେ) ରେ କୋଚିରୁ ଥ୍ରୀସୁର ଗସ୍ତ କରିବେ । ସେଠାରେ ସେ ଅଭିନେତା ତଥା ରାଜନେତା ସୁରେଶ ଗୋପୀଙ୍କ ଝିଅଙ୍କ ବିବାହ ଉତ୍ସବରେ ଅଂଶଗ୍ରହଣ କରିବେ । ପରେ ସେ ଅପରାହ୍ନରେ କୋଚି ଫେରିବା ସହ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରାୟ 6 ହଜାର ଶକ୍ତିକେନ୍ଦ୍ର ପ୍ରଭାରୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ କେନ୍ଦ୍ର ସରକାରଙ୍କ ଯୋଜନା ସହ ଜଡିତ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । 17 ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।