ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ଦିନିକିଆ ଇଣ୍ଡୋନେସିଆ ଗସ୍ତ କରିବେ । 20ତମ ଏସିଆନ ସମ୍ମିଳନୀରେ ଯୋଗ ଦେବାକୁ ଆଜି ସନ୍ଧ୍ୟାରେ ଦିଲ୍ଲୀରୁ ଇଣ୍ଡୋନେସିଆ ଅଭିମୁଖେ ବାହାରିବେ । ଆସନ୍ତାକାଲି (ଗୁରୁବାର) ଇଣ୍ଡୋନେସିଆରୁ ଦିଲ୍ଲୀକୁ ଫେରିବେ । ତେବେ ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଏହି 24 ଘଣ୍ଟିଆ ଇଣ୍ଡୋନେସିଆ ଗସ୍ତରେ କିଛି ବିଶେଷତ୍ବ ଥିବା ନେଇ ଚର୍ଚ୍ଚା ହେଉଛି ।
ଆସନ୍ତାକାଲି ଇଣ୍ଡୋନେସିଆରେ ଦୁଇଟି ଉଚ୍ଚସ୍ତରୀୟ ସମ୍ମିଳନୀରେ ସାମିଲ ହେବେ । 20ତମ ଏସିଆନ-ଇଣ୍ଡିଆ ସମ୍ମିଳନୀ ଓ 18ତମ ଇଷ୍ଟ ଏସିଆ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏସିଆନ ସମ୍ମିଳନୀରେ ଆୟୋଜର ରାଷ୍ଟ୍ର ହୋଇଛି ଇଣ୍ଡୋନେସିଆ । ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଗସ୍ତ ଭିତରେ ଏହି ଦୁଇଟି ସମ୍ମିଳନୀ ସାରିବାକୁ ଇଣ୍ଡୋନେସିଆ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏଥର ଏସିଆନ ସମ୍ମିଳନୀ ବିଷୟବସ୍ତୁ ରହିଛି ଏସିଆନ ମ୍ୟାଟରର୍ସ ବା ASEAN Matters Epicentrum of Growth ବା ଅଭିବୃଦ୍ଧିର କେନ୍ଦ୍ରସ୍ଥଳ । ଏହା ଅର୍ଥନୈତିକ ବିକାଶର ଏକ ପ୍ରମୁଖ ହବ ଭାବରେ ଇଣ୍ଡୋନେସିଆର ଦୂରଦୃଷ୍ଟି ପ୍ରତିଫଳିତ କରିବ । ଏହି ସମ୍ମିଳନୀ ଭାରତ ଏବଂ ଦକ୍ଷିଣପୂର୍ବ ଏସୀୟ ପ୍ରତିପକ୍ଷଙ୍କ ପାଇଁ ପାରସ୍ପରିକ ପ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତ ସହଯୋଗ ପାଇଁ ଏକ ପଥ ଭାବେ କାର୍ଯ୍ୟ କରିବ ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ ଭାରତ ଓ ଏସିଆନ ମଧ୍ୟରେ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରାଯିବ । ଭବିଷ୍ୟତ ନେଇ ପ୍ଲାନ ପ୍ରସ୍ତୁତ ହେବ । ପୂର୍ବ ଏସିଆ ସମ୍ମିଳନୀ ଏସିଆନ ଦେଶ ଭାରତ ସମେତ ତାର 8 ରାଷ୍ଟ୍ର ପ୍ରତିପକ୍ଷଙ୍କୁ ବିଭିନ୍ନ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସୁଯୋଗ ପ୍ରଦାନ କରିବ । ଅଗଷ୍ଟରେ ଇଣ୍ଡୋନେସିଆରେ ଏସିଆନ- ଭାରତ ଅର୍ଥମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏସିଆନ- ଇଣ୍ଡିଆ ଏଆଇଟିଆଇଜିଏର ସମୀକ୍ଷା କରିବା ଯାହା 2009ରେ ସ୍ବାକ୍ଷରିତ ହୋଇଥିଲା ।