ବେଙ୍ଗାଲୁରୁ: ରବିବାର କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହୀଶୂରରେ 'ପ୍ରୋଜେକ୍ଟ ଟାଇଗର'ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଯୋଗ ଦେଇ ବ୍ୟାଘ୍ର ଗଣନା ରିପୋର୍ଟ ଉନ୍ମୋଚନ କରିବେ । ଅମୃତ କାଳ ସମୟରେ ବ୍ୟାଘ୍ର ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଆରମ୍ଭ କରିବା ସହ ଇଣ୍ଟରନ୍ୟାସନାଲ ବିଗ୍ସ କ୍ୟାଟ୍ସ ଏଲାୟନ୍ସ (IBCA)ର ଶୁଭାରମ୍ଭ କରିବେ ମୋଦି ।
ଏହା ମଧ୍ୟ ପଢ଼ନ୍ତୁ:Cheetah Oban: 5 ଦିନ ଗାଁ ବୁଲିବା ପରେ କୁନୋ ଫେରିଲା ଚିତା ଓବାନ
ବିଶ୍ବର ସାତୋଟି ପ୍ରମୁଖ ବଡ଼ ପ୍ରଜାତିର ବାଘ,ସିଂହ, କଲରାପତରିଆ, ତୁଷାର କଲରାପତରିଆ, କୁଗର, ଜାଗୁଆର ଏବଂ ଚିତାର ସଂରକ୍ଷଣ କରୁଥିବା ଦେଶ ମାନଙ୍କ ସହ ମିଶି IBCA କାମ କରିବ । ପ୍ରଧାନମନ୍ତ୍ରୀଙ୍କ ମହୀଶୂର ଗସ୍ତ ସମୟରେ ରବିବାର ଚାମରାଜନଗର ଜିଲ୍ଲା ସ୍ଥିତ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ପରିଦର୍ଶନ କରିବେ । ଏହି ପରିପ୍ରେକ୍ଷୀରେ ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ ଫ୍ରଣ୍ଟ ଲାଇନ ଫିଲ୍ଡ କର୍ମଚାରୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିବେ । ଏହାପରେ ତାମିଲନାଡୁ ସୀମାବର୍ତ୍ତୀ ଚାମରାଜନଗର ଜିଲ୍ଲା ସ୍ଥିତ ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରେ ଥିବା ଥେପ୍ପାକଡୁ ହାତୀ ଶିବିର ପରିଦର୍ଶନ କରିବେ । ଏଥିସହ ସେଠାରେ ନିୟୋଜିତ କର୍ମଚାରୀଙ୍କ ସହ ଆଲୋଚନା କରିବେ ।
ଏହା ମଧ୍ୟ ପଢ଼ନ୍ତୁ:ମହାଶିବରାତ୍ରୀରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ୧୨ ଚିତା
ପ୍ରକାଶ ଥାଉକି, ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ୧ ଏପ୍ରିଲ ୧୯୭୩ ମସିହାରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହି ପରିଯୋଜନାର ମୂଳ ଲକ୍ଷ୍ୟ ଥିଲା ପ୍ରାକୃତିକ ପରିବେଶରେ ମହାବଳ ବାଘଙ୍କ ଆବଶ୍ୟକ ସଂଖ୍ୟା ବଜାୟ ରଖିବା, ଦେଶରୁ ବିଲୁପ୍ତ ହେବାରୁ ମହାବଳ ବାଘଙ୍କୁ ସୁରକ୍ଷା କରିବା ଏବଂ ବାଘାମାନେ ରହିଆସିଥିବା ବିଭିନ୍ନ ଜଙ୍ଗଲକୁ ଐତିହ୍ୟର ମାନ୍ୟତା ଦେଇ ସେମାନଙ୍କ ସଂରକ୍ଷଣ କରିବା । ପ୍ରାରମ୍ଭରେ ଦେଶରେ ୧୮,୨୭୮ ବର୍ଗ କିଲୋମିଟର ମଧ୍ୟରେ ବ୍ୟାପିଥିବା ୯ଟି ବ୍ୟାଘ୍ର ସଂରକ୍ଷଣକୁ ନେଇ ପ୍ରକଳ୍ପ ଗଠିତ ହୋଇଥିଲା । ବର୍ତ୍ତମାନ ୭୫,୦୦୦ ବର୍ଗ କିଲୋମିଟର ଜଙ୍ଗଲରେ ୫୩ଟି ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ରହିଛି । ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦୦ ବାଘ ରହିଛନ୍ତି । ସମଗ୍ର ବିଶ୍ବରେ ବ୍ୟାଘ୍ର ସଂଖ୍ୟା ଆକଳନ ଅନୁଯାୟୀ ଭାରତରେ ୭୦ ପ୍ରତିଶତ ଅଧିକ ରହିଛନ୍ତି । ପ୍ରତିବର୍ଷ ୬ ପ୍ରତିଶତ ବୃଦ୍ଧି ପାଉଥିବା କୁହାଯାଇଛି ।