ନୂଆଦିଲ୍ଲୀ:ରବିବାର ଲୋକାର୍ପିତ ହେବ ନୂଆ ସଂସଦ ଭବନ । ଏହି ଭବ୍ୟ ନୂତନ ସଂସଦରେ ସ୍ଥାପିତ ହେବ ନ୍ୟାୟ ଓ ନିରପେକ୍ଷ ଶାସନର ପବିତ୍ର ପ୍ରତୀକ ‘ସେଙ୍ଗୋଲ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରବିତ୍ର ତଥା ଐତିହାସିକ ‘ସେଙ୍ଗୋଲ’କୁ ତାମିଲନାଡୁର ଏକ ପ୍ରତିଷ୍ଠିତ ମଠର ମଠାଧୀଶଙ୍କଠାରୁ ଗ୍ରହଣ କରି ନୂଆ ସଂସଦରେ ସ୍ଥାପିତ କରିବେ । ଏହି ପବିତ୍ର ସେଙ୍ଗୋଲକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ 1947 ମସିହା ଅଗଷ୍ଟ 14 ତାରିଖରେ ତାମିଲନାଡୁର ଜଣେ ମଠାଧୀଶଙ୍କଠାରୁ ସ୍ବୀକାର କରିଥିଲେ ।
କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ କହିଛନ୍ତି, "ଏହି ସମ୍ପର୍କରେ ଅନେକ ଲୋକଙ୍କର ଧାରଣା ନାହିଁ । ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ 1947 ଅଗଷ୍ଟ 14 ତାରିଖରେ ଏକ ବିଶେଷ ଅବସରରେ ତାମିଲନାଡୁର ଥୁରୁବଥୁରାଇ ମଠାଧୀଶଙ୍କ ଠାରୁ ଏହି ପବିତ୍ର ‘ସେଙ୍ଗୋଲ’କୁ ଗ୍ରହଣ କରିଥିଲେ । ଇଂରେଜ ମାନେ ଭାରତୀୟଙ୍କୁ ଶାସନ କ୍ଷମତା ହସ୍ତାନ୍ତର କରିବା ସମୟରେ ନେହେରୁ ଏହି ପବିତ୍ର ସେଙ୍ଗୋଲ ଗ୍ରହଣ କରିଥିଲେ । ଏହି ‘ସେଙ୍ଗୋଲ’ ନ୍ଯାୟ ନୀତିପରାୟଣ ଶାସନରେ ପବିତ୍ର ପ୍ରତୀକ । ଏବେ ଅମୃତକାଳରେ ଦେଶ ନୂତନ ସଂସଦ ଲୋକାର୍ପିତ କରିବାକୁ ଯାଉଛି । ଏହି ନୂତନ ସଂସଦରେ ଉକ୍ତ ପବିତ୍ର ‘ସେଙ୍ଗୋଲ’କୁ ସ୍ଥାପିତ କରିବାର ନିର୍ଣ୍ଣୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି । ତାମିଲନାଡୁର ସମ୍ପୃକ୍ତ ମଠର ମଠାଧୀଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ‘ସେଙ୍ଗୋଲ’ ହସ୍ତାନ୍ତର କରିବେ ।"