ନୂଆଦିଲ୍ଲୀ: 6 ଦିନିଆ ବିଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ଜାପାନ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନରେ ଜି-7 ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀରୁ ଜାପାନ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ । ଜାପାନ ନିମନ୍ତ୍ରଣରେ ହିରୋସୀମା ଯାଉଛନ୍ତି ପିଏମ । ଏହା ପରେ ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନରେ ଆୟୋଜିତ ହୋଇଥିବା ଜି-7 ଶିଖର ସମ୍ମିଳନୀରେ ଭାରତ ସମେତ 8ଟି ରାଷ୍ଟ୍ରକୁ ଆମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି 6 ଦିନିଆ ବିଦେଶ ଗସ୍ତରେ 40ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ 24ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିବେ ।
ଚଳିତ ବର୍ଷ ଜି-7 ସମ୍ମିଳନୀରେ ସଭାପତିତ୍ବ କରୁଛି ଜାପାନ । ଜାପାନର ହିରୋସୀମାରେ ଜି-୭ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏହି ସମ୍ମିଳନୀରେ ସାମିଲ ହେବାକୁ ଭାରତ ସସେତ ୮ଟି ରାଷ୍ଟ୍ରକୁ ଆମନ୍ତ୍ରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ ଆଜିଠୁ 21 ତାରିଖ ଯାଏଁ ଜାପାନ ଗସ୍ତରେ ବାହାରିଛନ୍ତି । ଜି-୭ ସମ୍ମିଳନୀରେ ଯୋଗ ଦେଇ ସେ ଅଂଶଗ୍ରହଣକାରୀ ଦେଶମାନଙ୍କ ସହିତ ଖାଦ୍ୟ, ସାର ଏବଂ ଶକ୍ତିର ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହିତ ପ୍ରଧାନମନ୍ତ୍ରୀ କିସିଦାଙ୍କ ସମେତ ଆଉ କେତେକ ଅଂଶଗ୍ରହଣକାରୀ ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ଜି-7 ସମ୍ମିଳନୀରେ ଅନେକ ବିଷୟକୁ ପ୍ରାଥମିକତା ଦିଆଯାଇଛି । ସମ୍ପର୍କ ବଢାଇବା, ସୁରକ୍ଷା, ଆର୍ଥିକ ସୁରକ୍ଷା, କ୍ଷେତ୍ରୀୟ ପ୍ରସଙ୍ଗ, ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ତଥା ବିକାଶ ବ୍ୟତୀତ ଡିଜିଟାଲକରଣ, ବିଜ୍ଞାନ ଆଦି ବିଷୟରେ ଆଲୋଚନା ହେବ । ଭାରତ ବିଶେଷ କରି 3ଟି ଉପଚାରିକ ବିଷୟରେ ଅଂଶଗ୍ରହଣ କରିବ । ଯାହା ଆସନ୍ତାକାଲି (ଶନିବାର) ଏବଂ ତୃତୀୟ ଦିନ ଅର୍ଥାତ ମେ 21 ତାରିଖରେ ରହିଛି ।