ମୁମ୍ବାଇ: ଆସନ୍ତାକାଲି (ଶୁକ୍ରବାର) ଦେଶର ସର୍ବବୃହତ ସାମୁଦ୍ରିକ ସେତୁ ମୁମ୍ବାଇକୁ ନଭିମୁମ୍ବାଇ ସହ ଯୋଡୁଥିବା ଶିବାଡି- ନ୍ହାବାଶେବା ସି-ଲିଙ୍କକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇର ଶିବାଡି-ନ୍ହାବାଶେବା ଏହି ସେତୁ ସମୁଦ୍ର ମଧ୍ୟରେ ସଂଯୋଗ କରିବ । ଏହି ଦୀର୍ଘ 22 କି.ମି ଲମ୍ବ ସେତୁ ଦେଶର ସର୍ବବୃହତ ସାମୁଦ୍ରିକ ସେତୁ । ଏହାକୁ ମେରାଇନ ପ୍ରକଳ୍ପ ‘ମୁମ୍ବାଇ ଟ୍ରାନ୍ସହର୍ବର ଲିଙ୍କ ପ୍ରୋଜେକ୍ଟ (MTHL) ଅଧୀନରେ ନିର୍ମାଣ କରାଯାଇଛି । 2018 ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଯାହା ଆସନ୍ତାକାଲି ଲୋକାର୍ପଣ ହେବାକୁ ଯାଉଛି । ଏହା ବିଶ୍ବର 12 ତମ ବୃହତ୍ତମ ପୋଲ ଭାବେ ମଧ୍ୟ ମାନ୍ୟତା ପାଇବ ।
20 ମିନିଟରେ ଶେଷ ହେବ 2 ଘଣ୍ଟାର ଯାତ୍ରା:-
ଏହି ସୁଦୀର୍ଘ ସାମୁଦ୍ରିକ ସେତୁ ମୁମ୍ବାଇର ଶିଓ୍ବାଡିରୁ ରାଇଗଡ ଜିଲ୍ଲାର ନ୍ହାବାଶେବାକୁ ସଂଯୋଗ କରିବ । ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନର୍ଥେ ‘ଅଟଳ ସେତୁ’ ଭାବେ ନାମିତ କରାଯାଇଛି । ଏବେ ମୁମ୍ବାଇର ଏହି ଦୁଇପ୍ରାନ୍ତ ମଧ୍ୟରେ ଯାତ୍ରା ଦୁଇ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ସେତୁ ଲୋକାର୍ପଣ ପରେ ଏହି ଯାତ୍ରା ମାତ୍ର 15 ରୁ 20 ମିନିଟ ମଧ୍ୟରେ ଶେଷ ହେବ । ଫଳରେ ମୁମ୍ବାଇ ପରି ବ୍ୟସ୍ତବହୁଳ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବା ସହ ଯାତ୍ରୀଙ୍କ ସମୟ ମଧ୍ୟ ବହୁମାତ୍ରାରେ ବଞ୍ଚିପାରିବ । ଯାତ୍ରା ଆରାମଦାୟକ ହେବା ସହ ଟ୍ରାଫିକଜନିତ ଦୁର୍ଘଟଣା ସଂଖ୍ୟା ମଧ୍ୟ ଆଖିଦୃଶିଆ ଭାବେ ହ୍ରାସ ପାଇବା ନେଇ ଆଶା କରାଯାଉଛି ।