ନୂଆଦିଲ୍ଲୀ: ଉତ୍ତରପ୍ରଦେଶବାସୀଙ୍କୁ ଭେଟି ପରେ ଭେଟି ଦେଇ ଚାଲିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ବାରଣାସୀରେ କାଶୀ ବିଶ୍ବନାଥ କରିଡରର ଉଦଘାଟନ କରିବା ପରେ ଆଜି(ଗୁରୁବାର) ପୁଣି ୮୭୦ କୋଟି ଟଙ୍କାର ୨୨ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ (PM Modi to inaugurate several projects worth Rs 870 cr)। ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଆଜି ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ କରଖିୟାନ ପାର୍କରେ 30 ଏକର ଜମିରେ ନିର୍ମାଣ ହେବାକୁ ଥିବା 'ବାନାସ ଡାଏରୀ ସାନକୁଲ' ଅନ୍ୟତମ । ୪୭୫ କୋଟି ଟଙ୍କାରେ ନିର୍ମାଣ ହେବ ଏହି ପ୍ରକଳ୍ପ । ଦିନକୁ ୫ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରିବାର କ୍ଷମତା ରହିବ । ଏହା ଗ୍ରାମୀଣ ଅର୍ଥନୀତିକୁ ମଜବୁତ ଆଣିବାରେ ସହାୟକ ହେବ । ଏହା କୃଷକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଏହାବାଦ ବାନାସ ଡାଏରୀ ସହିତ ଜଡିତ ୧.୭ ଲକ୍ଷ ଦୁଗ୍ଧ ଉତ୍ପାଦକଙ୍କୁ ୩୫ କୋଟିର ବୋନସ ବ୍ୟାଙ୍କ ଋଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ।
ଏହାଛଡା ବନାରସର ରାମନଗରରେ ଏକ ବାୟୋଗ୍ୟାସ ଇଲେକ୍ଟ୍ରିସିଟି ଜେନେରେସନ ପ୍ଲାଣ୍ଟର ଉତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି । ଏହାସହିତ ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡ (NDDB) ସହାୟତାରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଏସ୍) ଦ୍ବାରା ବିକଶିତ ଦୁଗ୍ଧଜାତ ଦ୍ରବ୍ୟର କନଫର୍ମିଟି ଆସେସମେଣ୍ଟ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକ ପୋର୍ଟାଲ୍ ଏବଂ ଲୋଗୋ ମଧ୍ୟ ଲଞ୍ଚ କରିବେ। ୟୁନିଫାଏଡ୍ ଲୋଗୋ ଉଭୟ BIS ଏବଂ NDDB ଗୁଣବତ୍ତା ଚିହ୍ନଟ ହେବ ।