ଓଡିଶା

odisha

ETV Bharat / bharat

ମୁମ୍ବାଇରେ ଦେଶର ସବୁଠୁ ଲମ୍ବା ସାମୁଦ୍ରିକ ପୋଲ, ଆସନ୍ତା ୧୨ରେ ଉଦଘାଟନ କରିବେ ମୋଦି - ସବୁଠୁ ଲମ୍ବା ସାମୁଦ୍ରିକ ପୋଲ

Mumbai Trans Harbour Link: ମୁମ୍ବାଇରେ ନିର୍ମାଣ ହେଲା ଭାରତର ସବୁଠୁ ଲମ୍ବା ସାମୁଦ୍ରିକ ପୋଲ । ଆସନ୍ତା ଜାନୁଆରୀ ୧୨ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

Mumbai Trans Harbour Link
Mumbai Trans Harbour Link

By ETV Bharat Odisha Team

Published : Dec 31, 2023, 10:27 PM IST

ମୁମ୍ବାଇ:ଭାରତର ସବୁଠୁ ଲମ୍ବା ସାମୁଦ୍ରିକ ପୋଲ ମୁମ୍ବାଇ ଟ୍ରାନ୍ସ ହାର୍ବଲ ଲିଙ୍କ୍‌ (MTHL) ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆସନ୍ତା ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ । ଏ ନେଇ ଆଜି (ରବିବାର) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୂଚନା ଦେଇଛନ୍ତି । ଏହି ପୋଲ ନିର୍ମାଣ ହେବା ଦ୍ବାରା ସେୱରି ଓ ରାୟଗଡ଼ ଜିଲ୍ଲା ମଧ୍ୟରେ ଦୂରତ୍ୱ କମିବ । ଲୋକେ ଖୁବ କମ ସମୟରେ ଏହି ୨ଟି ଜିଲ୍ଲାକୁ ଯାତ୍ରା କରିପାରିବେ ।

MTHLର ସ୍ବତନ୍ତ୍ରତା:-ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ୬ ଲେନ ବିଶିଷ୍ଟ ୨୧.୮ କିମି ଲମ୍ବା ପୋଲ । ଏହା ଦେଶର ସବୁଠୁ ଲମ୍ବା ସାମୁଦ୍ରିକ ପୋଲ ବୋଲି କୁହାଯାଉଛି । ଏହାର ୧୬.୫ କିମି ଅଂଶ ସମୁଦ୍ର ଉପରେ ରହିଥିବା ବେଳେ ବାକି ୫.୫ କିମି ଅଂଶ ଭୂଖଣ୍ଡ ଉପରେ ରହିଛି । ନାଭି ମୁମ୍ବାଇ ସ୍ଥିତ ଜାତୀୟ ରାଜପଥ 4Bର ସେୱରି, ଶିବାଜୀ ନଗର, ଜସି ଓ ଚିରଲେକୁ ଏହା ସଂଯୋଗ କରିବ । ଏହା ରାଜ୍ୟର ୨ଟି ସବୁଠୁ ବଡ଼ ସହରକୁ ସଂଯୋଗ କରୁଥିବା ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେକୁ ମଧ୍ୟ ସଂଯୋଗ କରିବ ।

ଏହା ବି ପଢନ୍ତୁ- ପୂର୍ବତନ ଲୋକୋ ପାଇଲଟଙ୍କ ଦାବି, 'ପମ୍ବନ ବ୍ରିଜ'କୁ ମିଳୁ ଜାତୀୟ ସ୍ମାରକୀ ମାନ୍ୟତା

୨୦୧୮ରେ ଆରମ୍ଭ ହୋଇଥିଲା ନିର୍ମାଣ କାର୍ଯ୍ୟ:-ଏହି ପୋଲର ନିର୍ମାଣ କାର୍ଯ୍ୟ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ଏହି ପୋଲଟି ସାଢେ ୪ବର୍ଷ ପରେ ଲୋକାର୍ପିତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ କୋଭିଡ-୧୯ ମହାମାରୀ ପାଇଁ ଏହାର ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା । ଚଳିତ ବର୍ଷ ଡିସେମ୍ବର ୨୫ ତାରିଖରେ ପୋଲର ଉଦଘାଟନ ହେବ ବୋଲି ଯୋଜନା କରାଯାଇଥିଲା । ମାତ୍ର କୌଣସି କାରଣ ପାଇଁ ଏହା ସଫଳ ହୋଇପାରିନଥିଲା । ଏହି ପୋଲ ଉପରେ ଯାନବାହାନ ଯାତାୟାତ ପରୀକ୍ଷଣ ଶେଷ ହୋଇଥିବା ବେଳେ ଏହାକୁ ନୂଆବର୍ଷ ୨୦୨୪ର ଜାନୁଆରୀ ୧୨ ତାରିଖରେ ଉଦଘାଟନ କରାଯିବ ।

ଏ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଆସନ୍ତା ୧୨ ତାରିଖରେ ଏହି ପୋଲର ଉଦଘାଟନ କରାଯିବ । ଏହି ପୋଲ ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହେବା ସହ ଅନେକ ଅଞ୍ଚଳକୁ ପରସ୍ପର ସହିତ ଯୋଡ଼ିବ । ଯାହାଦ୍ବାରା ବହୁମୂଲ୍ୟ ସମୟ ବଞ୍ଚିବା ସହିତ ଯାତ୍ରୀମାନେ ମଧ୍ୟ ଉପକୃତ ହେବେ ।" ମିଳିଥିବା ସୂଚନା ଅନୁସାରେ ଏହି ପୋଲ ଉପରେ ଟୋଲ ଚାର୍ଜ ୫୦୦ ଟଙ୍କା ଲାଗୁ କରାଯାଇପାରେ । ମାତ୍ର ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଏହାର ମୂଲ୍ୟ ୩୦୦ରୁ ୩୫୦ ଟଙ୍କା ମଧ୍ୟରେ ରଖାଯିବ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details