ନୂଆଦିଲ୍ଲୀ:ଆସନ୍ତାକାଲି (ଗୁରୁବାର) ଦିଲ୍ଲୀରେ ଆଦି ମହୋତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ମୋଦି ଆଦି ମହୋତ୍ସବକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଆଦିବାସୀଙ୍କ ପର୍ବ ହେଉଛି ଆଦି ମହୋତ୍ସବ ।
ଦେଶରେ ଆଦିବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ତେବେ ଆଦି ମହୋତ୍ସବରେ ଆଦିବାସୀମାନଙ୍କର କଳା, ସଂସ୍କୃତି, ବାଣିଜ୍ୟକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଅନ୍ତର୍ଗତ ଆଦିବାସୀ ସମବାୟ ମାର୍କେଟିଂ ଫେଡେରେସନ ଲିମିଟେଡ ତରଫରୁ ଆୟୋଜନ କରାଯାଉଛି ।
ତେବେ ଚଳିତବର୍ଷ ଏହି ଆଦି ମହୋତ୍ସବ ଦିଲ୍ଲୀର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଆସନ୍ତା ୧୬ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟରେ ମୋଦି ଏହି ମହୋତ୍ସବକୁ ଉଦଘାଟନ କରିବେ ।
ଏହି ମହୋତ୍ସବରେ ସାରା ଦେଶରୁ ୨୦୦ଟି ଷ୍ଟଲ ଲାଗିବା ନେଇ ପ୍ରସ୍ତୁତି କରାଯାଇଥିବା ବେଳେ ଏହା ଆଦିବାସୀଙ୍କ ଐତିହ୍ୟ ତଥା ସମୃଦ୍ଧିକୁ ପ୍ରଦର୍ଶିତ କରିବ । ଏହାସହ ୧୦୦୦ ଆଦିବାସୀ କାରିଗର ଭାଗ ନେବେ ବୋଲି ଜଣାପଡିଛି ।