ନୂଆଦିଲ୍ଲୀ:ବିଦେଶ ଗସ୍ତରୁ ଫେରି ଆଜି (ମଙ୍ଗଳବାର) ଦିନିକିଆ ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଗୋଟିଏ ଦିନରେ ଦେଶବାସୀଙ୍କୁ ଏକକାଳୀନ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଭେଟି ଦେବେ ପ୍ରଧାନମନ୍ତ୍ରୀ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସେମି ହାଇସ୍ପିଡ ଟ୍ରେନ ଦେଶର ଅନେକ ସହରକୁ ସଂଯୋଗ କରୁଛି । ଆଜି ଶୁଭାରମ୍ଭ ହେବାକୁ ଥିବା 5ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଦେଶରେ ଯାତାୟତ କରୁଥିବା ମୋଟ ବନ୍ଦେ ଭାରତ ଟ୍ରେନ ସଂଖ୍ୟା 23ରେ ପହଞ୍ଚିବ ।
ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏକକାଳୀନ ଶୁଭାରମ୍ଭ ହେବାକୁ ଥିବା 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଗୁଡିକ ହେଲା ଗୋଆ-ମୁମ୍ବାଇ, ପାଟନା-ରାଞ୍ଚି, ଭୋପାଳ-ଇନ୍ଦୋର, ଭୋପାଳ-ଜବଲପୁର ଓ ବେଙ୍ଗାଲୁରୁ-ହୁବୁଳି-ଧାରୱାନ । ଏହାକୁ ମିଶାଇ ଦେଶରେ ମୋଟ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା 23ରେ ପହଞ୍ଚିବ । ରେଳଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ଅନୁଭବ ଦେବା ଲାଗି ବିଶେଷ ଭାବରେ ଟ୍ରେନର ଡିଜାଇନ କରାଯାଇଛି । ଟ୍ରେନ ସିଟଗୁ଼ଡିକ ମୁଭେବଲ ରହିଥିବା ବେଳେ ଅତ୍ୟାଧୁନିକ ସୁବିଧା ରହିଛି । ମଧ୍ୟପ୍ରଦେଶରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଦେଶବାସୀଙ୍କୁ ଭେଟି ଦେବେ ପ୍ରଧାନମନ୍ତ୍ରୀ ।