ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତକୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି(ସୋମବାର) ଆସାମ ରାଜଧାନୀ ଗୌହାଟୀକୁ ପ୍ରଥମ ବନ୍ଦ ଭାରତ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟାହ୍ନ ପ୍ରାୟ 12ଟା ବେଳେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟ୍ରେନ୍ର ଶୁଭାରମ୍ଭ କରିବେ । ଏହି ଟ୍ରେନ ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡିରୁ ଆସାମ ରାଜଧାନୀ ଗୌହାଟିକୁ ସଂଯୋଗ କରିବ । ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଆରାମ ଓ ସମୟ ସାପେକ୍ଷ ଯାତ୍ରା କରିବାର ମାଧ୍ୟମ ଯୋଗାଇବ । ଏହା ମଧ୍ୟ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ରାଜ୍ୟ ଆସାମରେ ପର୍ଯ୍ୟଟନକୁ ବୃଦ୍ଧି କରିବାର ସମ୍ଭାବନା ସୃଷ୍ଟି କରିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ।
ଗୌହାଟୀରୁ ନୂଆ ଜଲପାଇଗୁଡି ଯାତ୍ରା ଏବେ ପୂର୍ବାପେକ୍ଷା ଆହୁରି ସହଜ ହେବାକୁ ଯାଉଛି । ଏହି ଟ୍ରେନ୍ ଏହି ରୁଟ୍ରେ ଯାତାୟତ କରୁଥିବା ବର୍ତ୍ତମାନର ସର୍ବାଧିକ ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା କମ୍ ସମୟରେ ଯାତ୍ରା ଶେଷ କରିବ । ପଶ୍ଚିମବଙ୍ଗର ଜଲପାଇଗୁଡିରୁ ଆସାମ ରାଜଧାନୀ ଗୌହାଟିକୁ ପହଞ୍ଚିବା ପାଇଁ ଏହି ଦ୍ରୁତତମ ବନ୍ଦେ ଭାରତ ଏକ୍ସପ୍ରେସକୁ 5 ଘଣ୍ଟା 30 ମିନିଟ ସମୟ ଲାଗିବ । ଯାହାକି ଅନ୍ୟ ଟ୍ରେନ୍ରେ ଏବେ ଏହି ଯାତ୍ରା ଶେଷ ହେବା ପାଇଁ ସାଢେ 6 ଘଣ୍ଟାରୁ ଅଧିକ ସମୟ ଲାଗୁଛି । ଏହି ଟ୍ରେନ ଉତ୍ତର ପୂର୍ବରେ କେବଳ ରେଳ ସଂଯୋଗୀକରଣ ଓ ଯାତାୟତକୁ ସହଜ କରିବ ତାହା ନୁହେଁ ବରଂ ପର୍ଯ୍ୟଟନକୁ ମଧ୍ୟ ନୂଆ ସମ୍ଭାବନା ଯୋଗାଇବ ।