ନୂଆଦିଲ୍ଲୀ:ମୋଦିଙ୍କ କ୍ୟାବନେଟରେ ହୋଇପାରେ ବଡ ଧରଣର ଅଦଳବଦଳ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ନୂଆଦିଲ୍ଲୀର ପ୍ରଗତି ମଇଦାନର କନଭେନସନ ହଲରେ ଏହି ବୈଠକ ବସିବା ନେଇ କୁହାଯାଉଛି । କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ହେବା ନେଇ ବୈଠକରେ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି । ଦଳର ବହୁ ବରିଷ୍ଠ ନେତା ଏଥିରେ ସାମିଲ ହେବେ । ଜୁଲାଇ 20ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ ।
ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ଜୁଲାଇ 2021ରେ କେନ୍ଦ୍ର କ୍ୟାବିନେଟ୍ ପୁନର୍ଗଠିତ ହୋଇଥିଲା । ଏହା ପର ଠାରୁ କୌଣସି ବଡ ଦରଣର ଅଦଳବଦଳ ହୋଇନାହିଁ । ଗତ ମେ 18 ତାରିଖରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଛୋଟିଆ ଅଦଳବଦଳ ହୋଇଥିଲା । କିରଣ ରିଜିଜୁଙ୍କୁ କେନ୍ଦ୍ର ଆଇନମନ୍ତ୍ରୀ ପଦରୁ ହଟାଇ ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଦାୟିତ୍ବ ଦିଆଯାଇଥିଲା । କିରଣ ରିଜିଜୁଙ୍କୁ ବିଜ୍ଞାନ ଓ ଭୂପୃଷ୍ଠ ମନ୍ତ୍ରଣାଳୟ ମିଳିଥିଲା ।
ଜୁନ 28 ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହାପରେ ପରେ କ୍ୟାବିନେଟ ପୁର୍ନଗଠନ ଏବଂ ବିଜେପିର ସାଂଗଠନିକ ପରିବର୍ତ୍ତନ ନେଇ ରାଜନୈତିକ ସ୍ଥରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଗକୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପରେ 2024 ଲୋକସଭା ନିର୍ବାଚନ ହେବ । ତେଣୁ ଆଜିର ମନ୍ତ୍ରୀ ପରିଷଦ ବୈଠକ ବେଶ ଗୁରୁତ୍ବ ବହନ କରୁଛି ।