ନୂଆଦିଲ୍ଲୀ:ଗତ କିଛି ସପ୍ତାହ ମଧ୍ୟରେ ଦେଶରେ ବୃଦ୍ଧି ପାଇଥିବା କୋଭିଡ ସଂକ୍ରମଣ ଚିନ୍ତା ବଢାଇଛି । ତେବେ ଆସନ୍ତା 27 ତାରିଖରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଦେଶର କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓ ଉକ୍ତ ଦୁଇ ମନ୍ତ୍ରଣାଳୟର କିଛି ବରିଷ୍ଠ ଅଧିକାରୀ ମଧ୍ୟ ସମୀକ୍ଷା ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ ।
ସମୀକ୍ଷା ବୈଠକକୁ ନେଇ ମିଳିଥିବା ପୂର୍ବ ସୂଚନା ଅନୁସାରେ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରେଜେଶ ଭୂଷଣ ବର୍ତ୍ତମାନ ଦେଶର କୋଭିଡ ସ୍ଥିତି ଓ ମୁକାବିଲା ପ୍ରସ୍ତୁତି ନେଇ ଏକ ପ୍ରେଜେଣ୍ଟଟେସନ ଉପସ୍ଥାପନା କରିବେ । ସେହିପରି ଟୀକାକରଣ ସମ୍ପର୍କିତ ଷ୍ଟାଟସ ମଧ୍ୟ ବୈଠକରେ ଆଲୋଚନା ହେବ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ କୋରୋନାର ଶୀର୍ଷ ସଂକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିସାରିଛନ୍ତି ।