ହାଇଦ୍ରାବାଦ: ଆସନ୍ତା (ଫେବୃଆରୀ) 13 ତାରିଖରେ ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସିକନ୍ଦରାବାଦରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ କିଛି ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିବେ । ଚଳିତମାସ 19 ରେ ପ୍ରଧାନମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ଚୂଡାନ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରାଯାଇଥିଲା ।
ତେବେ 19 ତାରିଖ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ସିକନ୍ଦରବାଦ-ବିଶାଖାପାଟନମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା । ଗସ୍ତସୂଚୀ ପରିବର୍ତ୍ତନ ହେବା କାରଣରୁ ଏହି ଫ୍ଲାଗ-ଅଫ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲି ଅଂଶଗ୍ରହଣ କରିଥିଲେ । ସେହିପରି ପ୍ରାୟ 7ହଜାର କୋଟି ଟଙ୍କାର ବ୍ୟୟରେ ଅନ୍ୟ କିଛି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରହିଥିଲା । ଯାହା ଫେବୃଆରୀ 13ରେ ହେବାକୁ ଯାଉଛି ।
ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସିକନ୍ଦରାବାଦ ରେଳ ଷ୍ଟେସନର ଆଧୁନିକୀକରଣ ପ୍ରକଳ୍ପର ଶିଳାନ୍ୟାସ କର୍ଯ୍ୟକ୍ରମ ରହିଛି । ଯାହର ମୋଟ ବ୍ୟୟବରାଦ 699 କୋଟି ଟଙ୍କା ରହିଛି । ସେହିପରି କାଜିପେଟରେ 521 କୋଟି ବ୍ୟୟବରାଦରେ ହେବାକୁ ଥିବା ରେଳଓ୍ବେ ଓ୍ବାର୍କସପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । 1,410 କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇସାରିଥିବା 85 କି.ମି ବିଶିଷ୍ଟ ସିକନ୍ଦରାବାଦ-ମହାବାହୁନଗର ରେଳ ଲାଇନର ଲୋକାର୍ପଣ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ପରେ ସିକନ୍ଦାରାବାଦ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏକ ସାଧାରଣ ସଭାକୁ ସେ ସମ୍ବୋଧିତ ମଧ୍ୟ କରିବେ ।