ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ । ଏହା ବର୍ଷର ତୃତୀୟ ମନ୍ କି ବାତ୍ । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର ଏହା 99ତମ ସଂସ୍କରଣ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଗତ ମାସରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର 98ତମ ସଂସ୍କରଣ ଥିଲା ।
2023 ଫେବୃଆରୀ 26 ତାରିଖରେ ବର୍ଷର ଦ୍ବିତୀୟ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବଚ୍ଛତା ବିଷୟରେ ଆଲୋଚନା କରିଥିଲେ । 'ଅଦରକାରୀରୁ ସ୍ବାସ୍ଥ୍ୟକର' ଥିମ ଉପରେ ଆଲୋକପାତ କରିଥିଲେ । ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାର ମହିଳା କମଳା ମହାରଣାଙ୍କୁ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । କମଳା କ୍ଷୀର ପ୍ୟାକେଟ ଓ ବିଭିନ୍ନ ପ୍ଲାଷ୍ଟିକ ପ୍ୟାକେଟରୁ ଦରକାରୀ ଜିନିଷ ତିଆରି କରନ୍ତି ଯାହା ସ୍ବଚ୍ଛତା ସହ ଆମଦାନୀରେ ମଧ୍ୟ ସହାୟକ ହୋଇଛି । ସାରା ବିଶ୍ବ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ କମଳାଙ୍କ କାରିଗରୀ ବିଷୟରେ ଜାଣିବାକୁ ପାଇଥିଲା ।
ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ଦିନକୁ ଦିନ ଲୋକପ୍ରିୟତା ହାସଲ କରୁଛି । ଦେଶବାସୀ ସ୍ବାଧୀନତାର 76ବର୍ଷରେ ପାଦ ଥାପିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ପାଳୁଥିବାରୁ ଏହି କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ଖାଲି ଭାରତ ନୁହେଁ ବିଶ୍ବରେ ମଧ୍ୟ ଏହା ଲୋକପ୍ରିୟତା ହାସଲ କରିଛି । ଏହା କାର୍ଯ୍ୟକ୍ରମ ଖଦି, ଖେଳନା ଇଣ୍ଡଷ୍ଟ୍ରୀ, ସ୍ବାସ୍ଥ୍ୟ କ୍ଷେତ୍ରର ଷ୍ଟାର୍ଟଅପ, ଆୟୁଷ ଓ ମହାକାଶ ଆଦି କ୍ଷେତ୍ରରେ ପ୍ରଭାବ ପକାଇଛି । କାର୍ଯ୍ୟକ୍ରମରେ ବିଶେଷକରି ଭୋକାଲ ଫର ଲୋକାଲ, ବେଟି ପଢାଓ ବେଟି ବଚାଓ, ଜଳ ସଂରକ୍ଷଣ, ସ୍ବଚ୍ଛ ଭାରତ କ୍ଷେତ୍ରଗୁଡିକୁ ଗୁରୁତ୍ବ ଦିଆଯାଏ ।