ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ । ଏହା 104ତମ ଏପିସୋଡ । ପ୍ରତି ମାସ ଶେଷ ରବିବାର ପରି ଆଜି ମଧ୍ୟ 140 କୋଟି ଭାରତୀୟଙ୍କୁ ମାସିକ ରେଡିଓ କାର୍ଯ୍ୟକ୍ରମ ଜରିଆରେ ମନ କଥା କହିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ 11ଟାରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ । ଦେଶ ବିଦେଶରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ବହୁ ଲୋକପ୍ରିୟତା ହାସଲ କରିଛି ।
ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମାସର ଶେଷ ରବିବାରକୁ ଅପେକ୍ଷା କରିଥାନ୍ତି ଦେଶବାସୀ । ପ୍ରାୟ 23 କୋଟି ଲୋକ ରେଗୁଲାର ମନ୍ କି ବାତ୍ ଶ୍ରୋତା ଥିବା ରିପୋର୍ଟରୁ ଜଣାପଡିଛି । ଏହା ସହ ଅନନ୍ତ 100 କୋଟି ଲୋକ ଥରେ ଏହି କାର୍ଯ୍ୟକ୍ରମକୁ ଶୁଣିବାର ରେକର୍ଡ ରହିଛି । ରିପୋର୍ଟ ଅନୁସାରେ ଆଜି 104ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଝାଡଖଣ୍ଡର ଲୋହରଦଗାର ମସିୟାତୁ ଗାଁର ଚର୍ଚ୍ଚା ହେବା ନେଇ ଖବର ମିଳିଛି । ପ୍ରଧାନମନ୍ତ୍ରୀ ଏହି ଗାଁକୁ ଆତ୍ମନିର୍ଭର ଭାରତ ରୂପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବାରୁ ଚୟନ କରିଛନ୍ତି । ଏହା ଗାଁର ବିଶେଷତ୍ବ ହେଉଛି ଗ୍ରାମବାସୀ ବାଉଁଶରୁ ବିଭିନ୍ନ ଜିତିଷ ତିଆରି କରିଥାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଗାଁ ଲୋକଙ୍କ ସହ କଥା ମଧ୍ୟ ହେବେ ।
ଗତମାସ ଜୁଲାଇ 30 ତାରିଖରେ ପ୍ରଧାନମନ୍ତ୍ରୀ 103ତମ ମନ୍ କି ବାତରେ ଦେଶବାସୀଙ୍କୁ ମନକଥା କହିଥିଲେ । କ୍ରାନ୍ତିକାରୀଙ୍କୁ ସମ୍ମାନ ଦେବା ସହ 'ମୋ ମାଟି ମୋ ଦେଶ' ଅଭିଯାନର କଥା କହିଥିଲେ । ଏହା ସହିତ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ନ୍ୟାସନାଲ ୱାର୍ ମେମୋରିଆଲରେ 'ଅମୃତ ବାଟିକା' ନିର୍ମାଣ ହେବା ନେଇ ଘୋଷଣା କରିଥିଲେ । ଏହା ସହିତ 77ତମ ସ୍ବାଧୀନତା ଦିବସ ପାଳନ ନେଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଥିଲେ ।