ନୂଆଦିଲ୍ଲୀ:ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଦୁରୂପଯୋଗ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ କିଛି ଦିନ ତଳେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଆଜି ଅଭିନେତ୍ରୀ କାଜୋଲଙ୍କ ଡିଫଫେକ୍ ଭିଡିଓ ଭାଇରାଲ ହୋଇଛି । ବଢୁଥିବା ଡିପଫେକ ଭିଡିଓକୁ ନେଇ ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଫେକ୍ ଖବର ସମ୍ପର୍କରେ ଜନତାଙ୍କୁ ଶିକ୍ଷିତ କରିବା ପାଇଁ ସେ ଗଣମାଧ୍ୟମକୁ ଅପିଲ୍ କରିଛନ୍ତି । ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ 'ଦିୱାଲି ମିଲଣ' କାର୍ଯ୍ୟକ୍ରମରେ AIର ଦୁରୂପଯୋଗ ସମ୍ପର୍କରେ ଦେଶବାସୀଙ୍କୁ ସତର୍କ କରାଇଛନ୍ତି ମୋଦି ।
କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, " ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଉପଯୋଗ କରି 'ଡିପଫେକ୍' ଭିଡିଓ ବନାଇବା ନିହାତି ଚିନ୍ତାଜନକ ବିଷୟ ।" ସୂଚନା ଥାଉ କି ଗତ କିଛି ଦିନ ତଳେ ଦକ୍ଷିଣ ସିନେ ଜଗତର ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଫଟୋକୁ AIର ବ୍ୟବହାର କରି ଅଶ୍ଳୀଳ ଆକାରରେ ଦର୍ଶାଯାଇଥିଲା । ଯାହାକୁ ନେଇ ଖୋଦ ଅଭିନେତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଗ ବି ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ପ୍ରତିକ୍ରିୟା ରଖିଥିଲେ । ସାଇବର ପୋଲିସ ତଦନ୍ତ କରି ଏଭଳି ନିନ୍ଦନୀୟ କାଣ୍ଡ ଭିଆଇଥିବା ବ୍ୟକ୍ତିକୁ ଗିରଫ କରିବା ଲାଗି ମଧ୍ୟ ଦାବି କରିଥିଲେ ।