ନୂଆଦିଲ୍ଲୀ: ଦରଦାମ ବିରୁଦ୍ଧରେ ଅଗଷ୍ଟ ୫ ତାରିଖରେ କଂଗ୍ରେସ ନେତାମାନେ କଳା ପୋଷାକ ପିନ୍ଧି ଆନ୍ଦୋଳନ କରିଥିଲେ । କଂଗ୍ରେସର ଏପରି ଆନ୍ଦୋଳନକୁ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସର ନାଁ ନେଇ ମୋଦି କଟାକ୍ଷ କରିଛନ୍ତି, ''କିଛି ଲୋକ କଳା ଯାଦୁ କରୁଛନ୍ତି । କାରଣ ସେମାନେ ନକରାତ୍ମକ ଏବଂ ନିରାଶାରେ ବୁଡି ରହିଛନ୍ତି । କଳା ଯାଦୁ ଉପରେ ବିଶ୍ବାସ କରୁଥିବା ଲୋକେ, କେବେ ବି ଜନତାଙ୍କ ବିଶ୍ବାସ ଜିତିପାରିବେ ନାହିଁ । ସେମାନଙ୍କ କଳା ଯାଦୁ କାମ ଦେବନି । ''
କୌଣସି ଦଳ ନାଁ ନନେଇ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ''ଆତ୍ମନିର୍ଭର ଭାରତ ଗଠନ ପ୍ରୟାସରେ ମାଗଣା ଉପହାର ଏକ ପ୍ରତିବନ୍ଧକ ଅଟେ । କରଦାତାଙ୍କ ପାଇଁ ଏହା ବୋଝ ମଧ୍ୟ । କିଛି ଲୋକେ ହତାଶ ହୋଇ ଅଗଷ୍ଟ ୫ ତାରିଖରେ କଳା ଯାଦୁ କରିଥିଲେ । ସେମାନେ କଳା ପୋଷାକ ପିନ୍ଧିଥିବାର ଆମେ ଦେଖିବାକୁ ପାଇଥିଲୁ । କଳା ପୋଷାକ ପିନ୍ଧିଥିବା ଲୋକ ଭାବୁଛନ୍ତି ସେମାନଙ୍କ ଖରାପ ସମୟ ସରିଯିବ । କିନ୍ତୁ ତନ୍ତ୍ର ମନ୍ତ୍ର, କଳା ଯାଦୁ ଏବଂ ଅନ୍ଧବିଶ୍ବାସରେ ବୁଡି ରହି ସେମାନେ ପୁଣିଥିରେ ଲୋକଙ୍କ ବିଶ୍ବାସ ଜିତିପାରିବେ ନାହିଁ । କଳା ଯାଦୁ ଦ୍ବାରା ସେମାନଙ୍କ ଖରାପ ଦିନ ଶେଷ ହେବନି ।'' ହରିୟାଣାର ପାନିପଥରେ ଜୈବିକ ଇନ୍ଧନ ପ୍ଲାଣ୍ଟର ଉଦଘାଟନୀ ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ।