ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ( ଶନିବାର) ଦିନ ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନ (Kuno National Park) ରେ ଜଙ୍ଗଲୀ ଚିତା (Cheetahs) ବାଘ ମାନଙ୍କୁ ଛାଡିଛନ୍ତି । ଚିତା ବାଘ ପ୍ରଜାତି ଭାରତରୁ ବହୁ ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲେ। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟା (Namibia ) ରୁ ଭାରତକୁ ଚିତା ବାଘ ଗୁଡିକୁ ଅଣାଯାଇଛି । ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ । ଏହି ପ୍ରକଳ୍ପ ଅଧୀନରେ ଅଣାଯାଇଥିବା ଆଠଟି ଚିତା ମଧ୍ୟରୁ ୫ଟି ମାଈ ଏବଂ ୩ଟି ଅଣ୍ଡିରା ରହିଛନ୍ତି ।
କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତା ଗୁଡିକୁ ଛାଡିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚିତା ମିତ୍ର, ଚିତା ପୁନଃର୍ବାସ ପରିଚାଳନା ଦଳ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସମାରୋହରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ।
ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସ ସ୍ଥଳିର ପୁନଃରୁଦ୍ଧାର ଏବଂ ବିବିଧକରଣ ପାଇଁ ସରକାର ପ୍ରୟାସ କରି ଆସୁଛନ୍ତି । ଏହି ଉଦ୍ୟମର ଅଂଶବିଶେଷ ସ୍ୱରୂପ କୁନୋ ଜାତୀୟ ଉଦ୍ୟାନରେ ଚିତା ଗୁଡିକୁ ଆଜି ପ୍ରଧାନମନ୍ତ୍ରୀ ଛାଡିଛନ୍ତି । ୧୯୫୨ ମସିହା ଠାରୁ ଭାରତରେ ଚିତା ବାଘମାନଙ୍କୁ ବିଲୁପ୍ତ ଘୋଷଣା କରାଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ରାଜିନାମା ଅନ୍ତର୍ଗତ ନାମିବ୍ୟାରୁ ଏହି ଚିତା ଗୁଡିକୁ ଆଣି ଏଠାରେ ଛଡାଯାଇଛି । ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଚିତାମାନଙ୍କର ସଂରକ୍ଷଣ ପାଇଁ ଏହି ଉଦ୍ୟମ କରାଯାଉଛି । ଭାରତକୁ ଚିତା ଅଣାଯିବା ଦ୍ୱାରା ମୁକ୍ତ ଜଙ୍ଗଲ ଏବଂ ଚାରଣଭୂମି ପରିବେଶ ପରିତନ୍ତ୍ରର ପୁନରୁଦ୍ଧାର ହେବ । ଏହା ମଧ୍ୟ ଜୈବ ବିବିଧତାର ସଂରକ୍ଷଣ ସହିତ ଜଳ ସୁରକ୍ଷା, କାର୍ବନ ସିକ୍ୟୁଷ୍ଟ୍ରେସନ ବା ଅଙ୍ଗାରକ ପୃଥକୀକରଣ ଏବଂ ଜଳ ଆର୍ଦ୍ରତା ସଂରକ୍ଷଣ ଭଳି ଇକୋସିଷ୍ଟମ ବା ପରିବେଶ ପରିତନ୍ତ୍ର ସେବାକୁ ବଢାଇବ ଯାହାର ବ୍ୟାପକ ଲାଭ ଦେଶ ପାଇବ ।
ଗତ ଆଠ ବର୍ଷ ମଧ୍ୟରେ ଦୀର୍ଘସ୍ଥାୟିତ୍ୱ ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ଚିତା ପୁନଃର୍ବାସ ପ୍ରକଳ୍ପ ଆରମ୍ଭ ହେବା ଏହି କାର୍ଯ୍ୟଧାରାର ଏକ ଅଂଶବିଶେଷ । ଏସବୁ ପଦକ୍ଷେପ ଫଳରେ ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରାଯାଇପାରିଛି । ୨୦୧୪ରେ ଦେଶର ମୋଟ ଭୌଗୋଳିକ କ୍ଷେତ୍ର ମଧ୍ୟରୁ ସଂରକ୍ଷିତ ଅଞ୍ଚଳର ପ୍ରସାର ୪.୯୦ ପ୍ରତିଶତ ଥିଲା, ବର୍ତ୍ତମାନ ଏହା ୫.୦୩ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୪ରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ କ୍ଷେତ୍ରଗୁଡ଼ିକର ସଂଖ୍ୟା ଥିଲା ୭୪୦ ଏବଂ ଏସବୁ କ୍ଷେତ୍ରର ମୋଟ କ୍ଷେତ୍ରଫଳ ଥିଲା ୧,୬୧,୦୮୧.୬୨ ବର୍ଗ କିଲୋମିଟର । ବର୍ତ୍ତମାନ ସଂରକ୍ଷିତ ଅଞ୍ଚଳ ସଂଖ୍ୟା ୯୮୧କୁ ବୃଦ୍ଧି ପାଇଥିବା ବେଳେ ଏସବୁ ଅଞ୍ଚଳର କ୍ଷେତ୍ରଫଳ ୧,୭୧,୯୨୧ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ।