ଭୋପାଳ/ହାଇଦ୍ରାବାଦ: ମଧ୍ୟପ୍ରଦେଶରୁ ପୁଣି ଥରେ ବିରୋଧୀଙ୍କ ବିରୋଧରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ପୁଣି ଥରେ ମଧ୍ୟ ପ୍ରଦେଶ ଶହଡୌଲ ଗସ୍ତରେ ଆସି ସିକଲ ସେଲ ରୋଗ ଉନ୍ମୁଳନର ଶୁଭାରମ୍ଭ କରିଥିଲେ । ଏହି ଅବସରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ କଡା ପ୍ରହାର କରିଥିଲେ ।
ସମ୍ବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଆଜି ମୋତେ ରାନୀ ଦୁର୍ଗାବତୀଙ୍କ ପବିତ୍ର ମାଟିକୁ ଆସିବାର ସୌଭାଗ୍ୟ ମିଳିଛି । ମୁଁ ରାନୀ ଦୁର୍ଗାବତୀଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପିତ କରୁଛି । ତାଙ୍କରି ପ୍ରେରଣାରୁ ଆଜି ସିକଲ ସେଲ ରୋଗ ଉନ୍ମୁଳନ ମିଶନ ଆରମ୍ଭ ହୋଇଛି । ସମ୍ବୋଧନରେ ମୋଦି କହିଛନ୍ତି ଆଜି ମଧ୍ୟ ପ୍ରଦେଶର 1 କୋଟି ଲାଭାର୍ଥୀଙ୍କୁ ଆୟୁଷ୍ମାନ କାର୍ଡ ମିଳିଛି । ଯାହାର ସୁଫଳ ଆମର ଆଦିବାସୀ ଭାଇଭଉଣୀଙ୍କୁ ମଧ୍ୟ ମିଳୁଛି । ସିକଲ ସେଲ ରୋଗ ଉନ୍ମୁଳନ ପ୍ରସଙ୍ଗରୁ ନିଜ ସମ୍ବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଆଜି ଦେଶ ବଡ ସଂକଳ୍ପ ନେଇଛି । ଏହି ସଂକଳ୍ପ ଆଦିବାସୀ ଭାଇଭଉଣୀଙ୍କ ଜୀବନକୁ ସୁରକ୍ଷିତ ଓ ସରଳ କରିବ । ମୁଁ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତକୁ ଯାଇ ଆଦିବାସୀଙ୍କ ସମ୍ପ୍ରଦାୟ ସହ ଲମ୍ବା ସମୟ ବିତାଇଛି । ସିକଲ ସେଲ ରୋଗ ବହୁତ କଷ୍ଟ ଦାୟକ । ଏହି ରୋଗ ବଂଶାନୁକ୍ରମେ ବ୍ୟାପୀଥାଏ । ଏହା ଆମ ପରିବାରକୁ କ୍ଷତିଗ୍ରସ୍ତ କରିଥାଏ। ପୁରା ଦୁନିଆରେ ସିକଲ ସେଲ ରୋଗର ମାମଲା ଯେତିକି ଅଛି ତାର ଅଧା ମାମଲା କେବଳ ଆମ ଦେଶର ରହିଛି । ଦୁର୍ଭାଗ୍ୟର କଥା ଗତ 70 ବର୍ଷରେ ଏହି ରୋଗକୁ ନେଇ କୌଣସି ଚିନ୍ତା ହୋଇନାହିଁ । ଏଥିରୁ ମୁକ୍ତି ପାଇବା ପାଇଁ କୌଣସି ଯୋଜନା ହେଲା ନାହିଁ । କିନ୍ତୁ ଆଦିବାସୀ ଭାଇ ଭଉଣୀଙ୍କ ଏହି କଷ୍ଟକୁ ଏବେ ଆମ ସରକାର ଉଠାଇବାକୁ ପଦକ୍ଷେପ ନେଇଛି । ଆମ ପାଇଁ ଆଦିବାସୀ ସମାଜ ଏକ ସରକାରୀ ସଂଖ୍ୟା ନୁହେଁ । ଆମ ପାଇଁ ଆଦିବାସୀ ସମାଜ ହେଉଛି ସମ୍ବେଦନଶୀଳତା ଓ ଭାବନାତ୍ମକ ବିଷୟ ।