ହାଇଦ୍ରାବାଦ: ଦେଶରେ କୋରୋନା ସଂକ୍ରମଣ ଭୟଙ୍କର ରୂପ ଦେଖିବାକୁ ମିଳୁଛି । ପ୍ରତିଦିନ ଲକ୍ଷ ଲକ୍ଷ ମହାମାରୀରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ତେବେ ଅମ୍ଳଜାନ, ଶଯ୍ୟା ଓ ଔଷଧ ଅଭାବରୁ ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିବା ଉଚିତ ବୋଲି AIMIMର ମୁଖ୍ୟ ଅସଦୁଦ୍ଦିନ ଓୱେସୀ ରବିବାର କହିଛନ୍ତି ।
ପ୍ରଧାନମନ୍ତ୍ରୀ ସଂସଦ ଭବନ ଓ ସାମ୍ବାଦିକ ସମ୍ମିଳନୀକୁ ଆସିବାକୁ ଭୟ କରୁଛନ୍ତି । ମୋଦିଙ୍କ ନିକଟରେ ଶ୍ମଶାନ ଓ କବରୀସ୍ତାନ ସମ୍ପର୍କରେ 4 ଘଣ୍ଟା ଆଲୋଚନା କରିଥିଲେ ମଧ୍ୟ ହସ୍ପିଟାଲ ସମ୍ପର୍କରେ ଆଲୋଚନା କରିନଥିବା ଓୱେସୀ କହିଛନ୍ତି । ତେବେ ଦେଶରେ ଅମ୍ଳଜାନ, ଶଯ୍ୟା ଔଷଧ ଅଭାବରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରକୁ କ୍ଷମା ମାଗିବା ଉଚିତ ବୋଲି ସେ ଟ୍ବିଟ ମାଧ୍ୟମରେ କହିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳନାକୁ କଟାକ୍ଷ କରିବା ସହିତ ବିଦେଶୀ ଟିକାକୁ ଭାରତରେ ଅନୁମତି ଦେବା ଉଚିତ ବୋଲି ସେ କହିଛନ୍ତି ।