ଅଗରତାଲା:ତ୍ରିପୁରାର ନୂଆ ତଥା 11ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି (ରବିବାର) ମାଣିକ ସାହା ଶପଥ ନେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ସାହାଙ୍କ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ତ୍ରିପୁରା ରାଜଭବନରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ସାହାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ।
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପାଇଁ ଶୁଭେଚ୍ଛା ଓ ମାଣିକଙ୍କ କାର୍ଯ୍ୟକାଳରେ 2018ରୁ ତ୍ରିପୁରାରେ ଆରମ୍ଭ ହୋଇଥିବା ବିକାଶର ଯାତ୍ରା ଆହୁରି ସଫଳ ହେବା ନେଇ ଶୁଭେଚ୍ଛା ଟ୍ବିଟରେ ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ କରି ମାଣିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ମାଣିକଙ୍କ କୁଶଳ ନେତୃତ୍ବରେ ତ୍ରିପୁରା ଆଗକୁ ବଢିବା ସହ ଉନ୍ନତିର ନୂଆ ସ୍ତରକୁ ଛୁଇଁବ ବୋଲି ଶାହ କହିଛନ୍ତି ।