ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ରାଜଧାନୀ ଦିଲ୍ଲୀସ୍ଥିତ ଆମ୍ବେଦକର ଭବନରେ ଅନୁଷ୍ଠିତ ହୋଇଥିଲା ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗ ଦେଇ ରିଲିଜ ହୋଇଥିବା The Kashmir Files ଚଳଚ୍ଚିତ୍ର ବିଷୟରେ କହିଛନ୍ତି । ଏହା ଏକ ଭଲ ଚଳଚ୍ଚିତ୍ର ଏହିପରି ସତ୍ୟ ଘଟଣାକୁ ନେଇ ଅଧିକରୁ ଅଧିକ ଫିଲ୍ମ ନିର୍ମାଣ ହେବା କଥା କହିବା ସହ ସମସ୍ତଙ୍କୁ ଏହି ଫିଲ୍ମ ଦେଖିବାକୁ କହିଛନ୍ତି ମୋଦି । ଏହି ଫିଲ୍ମ ଦ୍ବାରା ଚାପି ହୋଉଯାଉଥିବା ସତ ପଦାକୁ ଆସୁଛି ବୋଲି କହିଛନ୍ତି ପିଏମ ।
ବୈଠକରେ ମୋଦି କହିଛନ୍ତି, ଇତିହାସକୁ ସମୟର ସହିତ ଲୋକଙ୍କ ଆଗରେ ଉପସ୍ଥାପନ କରିବାରେ ପୁସ୍ତକ, କବିତା ସହିତ୍ୟର ମହତ୍ବ ରହିଛି । ସେହିପରି ଫିଲ୍ମ ଇଣ୍ଡଷ୍ଟ୍ରିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସ୍ବାଧୀନତା ପରେ ଦୁନିଆରେ ନଲସେ ମାଣ୍ଡେଲାଙ୍କ କଥା କୁହନ୍ତି ହେଲେ ମହାତ୍ମା ଗାନ୍ଧୀଙ୍କ କଥା ଖୁବ କମ୍ କୁହନ୍ତି । ଯଦି କେହି ସାହାସ ଯୋଗାଡ କରି ମହାତ୍ମା ଗାନ୍ଧୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିଥାନ୍ତେ ଆମେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିଥାନ୍ତେ । ଜଣେ ବିଦେଶୀ ଗାନ୍ଧୀଙ୍କ ଉପରେ ଫିଲ୍ମ ନିର୍ମାଣ କରିଥିଲେ ଏବଂ ଓସ୍କାର ପାଇଥିଲେ ସେତେବେଳେ ଜଣାପଡିଥିଲା ଯେ ଗାନ୍ଧୀ ଜଣେ ଏତେ ମହାନ ବ୍ୟକ୍ତି ଥିଲେ ବୋଲି କହିଛନ୍ତି ମୋଦି ।
ସେ ଆହୁରି କହିଛନ୍ତି ଅନେକ ଲୋକ ସ୍ବାଧୀନତା ଉପରେ କଥା କୁହନ୍ତି । ଜରୁରୀକାଳୀନ ସ୍ଥିତି ହୋଇଥିଲା ହେଲେ ତା ଉପରେ କେହି ଫିଲ୍ମ ନିର୍ମାଣ କରିନାହାନ୍ତି । ସତ୍ୟକୁ ଦବାଇବାକୁ ଲଗାତାର ପ୍ରୟାସ କରାଯାଇଛି । ଭାରତ ବିଭାଜନକୁ ନେଇ ବି କହିଛନ୍ତି ମୋଦି । ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଏହି ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି। ସେହିପରି ଆଇଟି ସେଲ ପକ୍ଷରୁ ସୋଶାଲ ମିଡିଆରେ ଲୋକଙ୍କୁ ଫିଲ୍ମ ଦେଖିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି। ଏସବୁ ଭିତରେ ଦି କଶ୍ମୀର ଫାଇଲ୍ସକୁ ନେଇ ପ୍ରଥମଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏପରି ସତ୍ୟ ଘଟଣା ଉପରେ ଆହୁରି ଅନେକ ଫିଲ୍ମ ତିଆରି କରାଯିବା ଦରକାର। ଏହାଦ୍ୱାରା ଅତୀତରେ ଘଟିଥିବା ଘଟଣାଗୁଡ଼ିକର ସତ୍ୟତା ସମ୍ପର୍କରେ ଲୋକମାନେ ଜାଣିପାରିବେ। ଦୀର୍ଘ ବର୍ଷ ହେଲା କଶ୍ମୀରକୁ ନେଇ ଯେଉଁ ସତ୍ୟକୁ ଚାପି ଦିଆଯାଇଥିଲା, ଏବେ ତା’ହା ସାମ୍ନାକୁ ଆସିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଆଜି ବିଜେପିର ସାଂସଦମାନଙ୍କ ବୈଠକରେ ମୋଦି କଶ୍ମୀର ଫାଇଲ୍ସକୁ ନେଇ ଚାଲିଥିବା ବାଦବିବାଦ ସମ୍ପର୍କରେ ମତ ରଖିଛନ୍ତି। ସେ କହିଛନ୍ତି, “ବେଶ କିଛି ଦିନ ହେଲା ଲୋକମାନେ ଏହି ପ୍ରସଙ୍ଗରେ କଥାବାର୍ତ୍ତା ହେଉଛନ୍ତି। ସବୁବେଳେ ବାକ୍ ସ୍ୱାଧୀନତାର ଓକିଲାତି କରୁଥିବା ଲୋକମାନେ ଏବେ ହଠାତ୍ ଉତ୍ତେଜିତ ହୋଇ ପଡ଼ିଛନ୍ତି । ସେମାନେ ସିନେମାକୁ ଗୋଟିଏ କଳାର ଅଂଶ ବିଶେଷ ଭାବେ ଗ୍ରହଣ କରିପାରୁ ନାହାନ୍ତି।
ପୂରା ଫିଲ୍ମକୁ ତୁଚ୍ଛ ଓ ଖରାପ ବୋଲି କହିବାକୁ ସେମାନେ ଲାଗି ପଡ଼ିଛନ୍ତି। ସିନେମା ଜରିଆରେ ଏହାର ନିର୍ଦ୍ଦେଶ ସତ୍ୟ ଦେଖାଇବାକୁ ସାହାସ କରିଛନ୍ତି। ସେମାନେ ଯାହା ସତ ଭାବିଲେ, ତା’କୁ ସିନେମାରେ ସ୍ଥାନ ଦେଇଛନ୍ତି। କିନ୍ତୁ କିଛି ଲୋକ ସତ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ପୂରା ବିଶ୍ୱ ଏହି ଫିଲ୍ମ ଦେଖୁ ବୋଲି ସେମାନେ ଚାହୁଁନାହାନ୍ତି। କେବଳ ଏହି ଗୋଟିଏ ଘଟଣା ନୁହେଁ, ସବୁ ପ୍ରସଙ୍ଗରେ ସତ୍ୟ ସାମ୍ନାକୁ ଆସିବା ଦେଶ ପାଇଁ ଭଲ। ଯେଉଁମାନେ ଭାବୁଛନ୍ତି ଏହି ଫିଲ୍ମଟି ଭଲ ନୁହେଁ, ସେମାନେ ନିଜସ୍ୱ ସିନେମା ତିଆରି କରିପାରିବେ। ସେମାନଙ୍କୁ କିଏ ଅଟକାଇଛି? ଦୀର୍ଘ ବର୍ଷ ହେଲା ଚାପି ହୋଇ ରହିଥିବା ସତ୍ୟ ଏବେ ସାମ୍ନାକୁ ଆସିଯିବାରୁ କିଛି ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୋର ଆଶା ସମସ୍ତେ ସତ୍ୟ ପାଇଁ ଛିଡ଼ା ହେବାର ଦାୟିତ୍ୱ ନେବେ।”
1990 ରେ କାଶ୍ମୀର ପଣ୍ଡିତମାନେ ନିର୍ଯାତିତ ହୋଇଥିଲେ, ସେମାନଙ୍କୁ ହତ୍ୟା କରାଯାଇଥିଲା। ଚଳଚ୍ଚିତ୍ରଟିରେ ସେହି ଅନ୍ଧକାର ଇତିହାସକୁ ଜନସାଧାରଣଙ୍କୁ ଦେଖାଇବାକୁ ଚେଷ୍ଟା କରାଯାଇଛି । ମାର୍ଚ୍ଚ 11 ରେ କାଶ୍ମୀର ଫାଇଲଗୁଡିକ ବକ୍ସ ଅଫିସରେ ଧମାଲ ମଚାଇଛି। ପ୍ରଥମ ଦିନରେ 3.55 କୋଟି ଟଙ୍କା ରୋଜଗାର କରିଛି 'ଦ କାଶ୍ମୀର ଫାଇଲସ' । ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିବେକ ଅଗ୍ନୀହୋତ୍ରୀ ।