ହାଇଦ୍ରାବାଦ:ସମୟ ବଡ ବଳବାନ । କେତେବେଳେ କାହା ପାଇଁ ଯେ ବଦଳେ ତାର କୌଣସି ସମୟ ନଥାଏ । ମଣିଷର ସ୍ଥିତି ପରିସ୍ଥିତି ଭାଗ୍ୟ କିଭଳି ବଦଳିଥାଏ ତାହାର ଜ୍ବଳନ୍ତ ଉଦାହରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଆମେ ଏହି କଥା କାହିଁକି କହୁଛୁ ତାହା ପଛରେ ବିରାଟ କାରଣ ରହିଛି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ଜୀବନର 30 ବର୍ଷ ପୂର୍ବ ଏକ ଘଟଣା ହିଁ ଭାଗ୍ୟ ସମୟ ଯେ କିପରି ବଦଳି ପାରେ ତାହା ସ୍ପଷ୍ଟ କରିଛି । 1993ରେ ମୋଦି କୌଣସି ପଦବୀରେ ନଥାଇ ଏକଦା ଆମେରିକା ଗସ୍ତ କରିଥିଲେ । ସେବେ ସେ ହ୍ବାଇଟ ହାଉସକୁ ବାହାରୁ ଦେଖିଥିଲେ ମାତ୍ର ଆଜି ସେ ହ୍ବାଉଟ ହାଉସରେ ରାଷ୍ଟ୍ରୀୟ ଅତିଥି । ଏହା ସମୟ ଚକ୍ରର ପରିବର୍ତ୍ତନ ନୁହେଁ ତ ଆଉ କଣ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା ଗସ୍ତରେ ଗତକାଲି (ଗୁରୁବାର) ତାଙ୍କୁ ହ୍ବାଉଟ ହାଉସରେ ଭବ୍ୟ ରାଜକୀୟ ସ୍ବାଗତ କରାଯାଇଥିଲା । ଏହାପରେ ସେଠାରେ ସେ ଅଭିବାଦନ ଗ୍ରହଣ କରିଥିଲେ । ଏହା ପରେ ସେଠାରେ ଉପସ୍ଥିତ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ମୋଦି କହିଥିଲେ ଯେ,'' ଏଠାରେ ଯେଉଁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ସେଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୃତଜ୍ଞତା ଜଣାଉଛି । ଏହା କେବଳ ମୋର ସମ୍ମାନ ନୁହେଁ 140 କୋଟି ଭାରତୀୟଙ୍କ ସମ୍ମାନ ଓ ଗୌରବ । ଆମେରିକାରେ ରହୁଥିବା 40ଲକ୍ଷ ଭାରତୀୟଙ୍କ ପାଇଁ ମଧ୍ୟ ସମ୍ମାନ । ଆଜିକୁ 30 ବର୍ଷ ପୂର୍ବେ ଜଣେ ସାଧାରଣ ନାଗରିକ ଭାବେ ମୁଁ ଆମେରିକା ଆସିଥିଲି । ସେବେ ହ୍ବାଉଟ ହ୍ବାଉସକୁ ମୁଁ ବାହାରୁ ଦେଖିଥିଲି । ପ୍ରଧାନମନ୍ତ୍ରୀ ହେବା ପରେ ଅନେକ ଥର ଏଠାକୁ ଆସିଛି । ମାତ୍ର ପ୍ରଥମ ଥର ପାଇଁ ହ୍ବାଉଟ ହାଉସ ଫାଟକକୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲି ଦିଆଯାଇଛି ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ପ୍ରବାସୀ ଭାରତୀୟଙ୍କ ପରିଶ୍ରମ, ନିଷ୍ଠା ଓ ପ୍ରତିଭା ଲାଗି ଆମେରିକାରେ ଭାରତର ମାନ ବଢାଇଛି । ପ୍ରବାସୀ ଭାରତୀୟ ହିଁ ଆମ ସମ୍ପର୍କର ଭାରତର ଅସଲ ଶକ୍ତି । ଭାରତ ଓ ଆମେରିକାର ବ୍ୟବସ୍ଥା ଲୋକତାନ୍ତ୍ରିକ ମୂଲ୍ୟ ଉପରେ ଆଧାରିତ । ଆମେ ଦୁଇ ଦେଶ ଆମ ବିବିଧତା ଉପରେ ଗର୍ବ କରୁ । ଭାରତ ଓ ଆମେରିକାର ମିତ୍ରତା ସମଗ୍ର ବିଶ୍ବର ସାମର୍ଥ୍ୟକୁ ବଢାଇବାର ସହାୟକ ହେବ । ବିଶ୍ବର ମଙ୍ଗଳ, ଶାନ୍ତି, ସମୃଦ୍ଧି ଓ ସ୍ଥିରତା ପାଇଁ ଭାରତ ଓ ଆମେରିକା ପ୍ରତିଶ୍ରୁତିବଦ୍ଧ ।''