ଡେରାଡୁନ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ମୋର ୩ୟ କାର୍ଯ୍ୟକାଳରେ ବିଶ୍ବରେ ଭାରତ ହେବ ବୃହତ ଶକ୍ତି । ଆଜି (ଶୁକ୍ରବାର) ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟରେ ଯୋଗ ଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ । ଗୋଟିଏ ପରେ ନିକଟରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ସରକାର ଆସିଥିବା ବେଳେ ଚିନ୍ତିତ ଅଛି ଇଣ୍ଡିଆ ମେଣ୍ଟ । ଏହାରି ମଧ୍ୟରେ ମୋଦି ନିଜର ତୃତୀୟ କାର୍ଯ୍ୟକାଳ ସମ୍ପର୍କରେ କହି ବିରୋଧୀଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।
ପୁଞ୍ଜିପତିଙ୍କୁ ଦେଲେ ଆହ୍ବାନ:-ରାଜଧାନୀ ଡେରାଡୁନରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ । ମଧ୍ୟାହ୍ନ ୧୨.୨୩ରୁ ୧୨.୫୫ ପର୍ଯ୍ୟନ୍ତ ମୋଦି ନିଜର ଅଭିଭାଷଣ ରଖି ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ । ଉତ୍ତରାଖଣ୍ଡର ମାଟିକୁ ଦେବଭୂମି ବୋଲି କହିବା ସହ ଦେଶବାସୀ ସର୍ବଦା ଏହି ମାଟି ପ୍ରତି ଋଣି ରହିବେ ବୋଲି କହିଥିଲେ । ଏହି ମାଟି ଲାଗି ପ୍ରଧାନମନ୍ତ୍ରୀଙ୍କୁ ଯଦି କିଛି କରିବାକୁ ସୁଯୋଗ ମିଳେ, ତେବେ ସୌଭାଗ୍ୟବାନ ରହିବେ ବୋଲି କହିଥିଲେ । ଏହାସହିତ ଦେବଭୂମି ଉତ୍ତରାଖଣ୍ଡରେ ଡେଷ୍ଟିନେସନ ୱେଡିଂ ପାଇଁ ଯୋଜନା କରିବାକୁ ମଧ୍ୟ ଯୁବପିଢିଙ୍କୁ ଆହ୍ବାନ ଦେଇଥିଲେ । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।
ଏହା ବି ପଢନ୍ତୁ- 'ମେକ୍ ଇନ୍ ଇଣ୍ଡିଆ' ପରେ ମୋଦିଙ୍କ ନୂଆ ନାରା 'ୱେଡ ଇନ୍ ଇଣ୍ଡିଆ'