ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଆମେରିକା ଓ ଇଜିପ୍ଟ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି (ରବିବାର) ବିଳମ୍ବିତ ରାତିରେ ସେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖି ଏବଂ ବିଜେପି ମୁଖ୍ୟ ଜେ.ପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ବେଳେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।
ଜୁନ 20 ତାରିଖରେ ପ୍ରଧାନମନ୍ତ୍ରୀ ପ୍ରଥମେ ଆମେରିକା ଗସ୍ତ କରିଥିଲେ । ସେଠାରେ ସେ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ 180ରୁ ଅଧିକ ଦେଶର ନାଗରିକ ମଧ୍ୟ ଅଂଶଗ୍ରହଣ କରି ଯୋଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ଏହି ଯୋଗ ସେସନ ଗିନିଜ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା । ଏହା ପରେ ମୋଦି ଟେସଲା ମୁଖ୍ୟ ତଥା ସଂସ୍ଥାର ସିଇଓ ଏଲନ ମସ୍କଙ୍କ ସମେତ ଏକାଧିକ ବିଶିଷ୍ଟ ଆମେରିକୀୟଙ୍କ ସହ ଆଲୋଚନା କରିଥିଲେ । ପରେ ଭାରତ ଆମେରିକା ମଧ୍ୟରେ ପ୍ରତିରକ୍ଷା ଓ ବାଣିଜ୍ୟ ସମେତ ଏକାଧିକ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଥିଲା । ଆମେରିକାର ଜେନେରାଲ ଏଲେକ୍ଟ୍ରିକ୍ସ ଏରୋସ୍ପେସ ଓ ଭାରତର ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ ମଧ୍ୟରେ ଯୁଦ୍ଧ ବିମାନ ଇଞ୍ଜିନ ନିର୍ମାଣ ନେଇ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
ଏହା ପରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ କାର୍ଯ୍ୟକ୍ରମ । ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ହ୍ବାଇଟ ହାଉସକୁ ନିମନ୍ତ୍ରିତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହ୍ବାଇଟ ହାଉସ ପରିସରରେ ଭବ୍ୟ ସ୍ବାଗତ କରାଯାଇଥିଲା । ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦି ମିଳିତ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଉଭୟ ନେତା ଦୁଇ ଦେଶର ଦୃଢ ରଣନୈତିକ ସମ୍ପର୍କ ଓ ସାମ୍ବିଧାନିକ ମୂଲ୍ୟବୋଧରେ ଥିବା ସମାନତା ନେଇ ପରସ୍ପରକୁ ପ୍ରଶଂସା କରିଥିଲେ । ହ୍ବାଇଟ ହାଉସରେ ଆୟୋଜିତ ନୈଶ୍ୟଭୋଜିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ସେ ଆମେରିକା ସଂସଦର (କଂଗ୍ରେସ)ର ମିଳିତ ଅଧିବେଶନକୁ ସମ୍ବୋଧିତ ମଧ୍ୟ କରିଥିଲେ ।