ନୂଆଦିଲ୍ଲୀ: ଲୋକନାୟକ ଭାବେ ପରିଚିତ ଜୟପ୍ରକାଶ ନାରାୟଣଙ୍କର ଆଜି ୧୧୯ତମ ଜନ୍ମବାର୍ଷିକୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ଯାହା ଭାରତ ଇତିହାସରେ ଏକ ଅବିସ୍ମରଣୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହିତ ମହାନ ଦୂର ଦୃଷ୍ଟିସମ୍ପନ୍ନ ନାନାଜୀ ଦେଶମୁଖଙ୍କ ୧୦୫ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୋଦି । ଦେଶମୁଖ ନିଜ ଜୀବନକୁ ଗ୍ରାମୀଣ ବିକାଶ ପାଇଁ ଉତ୍ସର୍ଗ କରିଥିବା କହିଛନ୍ତି ମୋଦି ।
ସେ ଆହୁରି କହିଛନ୍ତି ଲୋକନାୟକ ଜେ.ପି ଜନକଲ୍ୟାଣମୂଳକ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ଭାରତର ଗଣତାନ୍ତ୍ରିକ ନୈତିକତା ରକ୍ଷା କରିବାରେ ସେ ଆଗରେ ଥିଲେ । ଆମେ ତାଙ୍କ ଆଦର୍ଶରେ ସବୁବେଳେ ଅନୁପ୍ରାଣିତ ବୋଲି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ।
୧୯୨୯ରେ କଂଗ୍ରେସରେ ଯୋଗ ଦେଇଥିଲେ ଜୟପ୍ରକାଶ । ଭାରତ ଛାଡ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା ଥିଲେ ଜୟପ୍ରକାଶ ନାରାୟଣ । 1999 ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ 1970 ଦଶକ ମଧ୍ୟଭାଗରେ ତାଙ୍କୁ ବିରୋଧ କରିଥିବାରୁ ସେ ସ୍ମରଣୀୟ ହୋଇଥିଲେ । ରାଜନୈତିକ, ଆର୍ଥିକ, ସାମାଜିକ, ଶୈକ୍ଷିକ ଓ ଆଧ୍ୟାତ୍ମିକ ବିପ୍ଳବ ପାଇଁ ସଂପୂର୍ଣ୍ଣ କ୍ରାନ୍ତିର ଆହ୍ବାନ ନେଇଥିଲେ ଜୟପ୍ରକାଶ ।
୧୯୭୭ରେ ଜରୁରୀ ପରିସ୍ଥିତି ଉଚ୍ଛେଦ ପରେ ଜୟପ୍ରକାଶଙ୍କ ନେତୃତ୍ବରେ ଜନତା ପାର୍ଟି ଗଠନ ହୋଇଥିଲା । ୧୯୭୭ ସାଧାରଣ ନିର୍ବାଚନରେ ଜନତା ପାର୍ଟି କଂଗ୍ରେସକୁ ପରାସ୍ତ କରି ଦେଶର ପ୍ରଥମ ଅଣକଂଗ୍ରେସ ଦଳ ଭାବେ କେନ୍ଦ୍ରରେ ସରକାର ଗଢିଥିଲେ । ସମାଜ ସେବା ପାଇଁ ୧୯୬୫ରେ ରାମନ ମାଗସେସେ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୭୯ ଅକ୍ଟୋବର ୮ରେ ଏହି ଜନନାୟକଙ୍କ ପରଲୋକ ଘଟିଥିଲା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ