ନୂଆଦିଲ୍ଲୀ: ଭାରତ ସ୍ବାଧୀନତା ଇତିହାସରେ ଅମର ଶହୀଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ନାମ ଓ ବଳିଦାନ ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ । ତାଙ୍କ ବଳିଦାନକୁ ମନେ ପକାଇବା ପାଇଁ ପ୍ରତବର୍ଷ ମାର୍ଚ୍ଚ ୨୩ ତାରିଖକୁ ଶହୀଦ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଆଜି ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଟ୍ବିଟ କରି ମୋଦି କହିଛନ୍ତି, ଶହୀଦ ଦିବସରେ ଭାରତମାତାର ଅମର ବୀରପୁତ୍ର ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ । ମାତୃଭୂମି ପାଇଁ ନିଜ ଜୀବନକୁ ସେମାନେ ବଳି ଦେଇଛନ୍ତି । ତାଙ୍କର ଏହି ବଳିଦାନ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଦେବ ବୋଲି କହିଛନ୍ତି ପିଏମ ମୋଦି । ଶହୀଦ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ କୋଲକାତାରେ ଆଭାସି ଜରିଆରେ ବିପ୍ଳବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପଞ୍ଜାବରେ ନୂଆ କରି ସରକାର ଗଢିଥିବା ଆମ ଆଦମୀ ପାର୍ଟି ମାର୍ଚ୍ଚ ୨୩କୁ ସରକାରୀ ଛୁଟି ଘୋଷଣା କରିଛନ୍ତି ।