ଭୋପାଳ: ମଧ୍ୟପ୍ରଦେଶ ରିବାର ଜଣେ ନବମ ଶ୍ରେଣୀ ଛାତ୍ରୀ ଭିନ୍ନକ୍ଷମଙ୍କ ପାଇଁ ଏକ ନିଆରା ଡିଭାଇସ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି । ଉକ୍ତ ଡିଭାଇସ ଦ୍ବାରା ଦିବ୍ୟାଙ୍ଗ ବ୍ୟକ୍ତିମାନେ କମ୍ପ୍ୟୁଟର, ଲ୍ୟାପଟପ୍ ଚଳାଇ ପାରିବେ । ହାତ ନଥିବା ବ୍ୟକ୍ତିମାନେ ବିନା ମାଉସରେ ଗୋଡ ସାହାଯ୍ୟରେ କମ୍ପ୍ୟୁଟର ଅପରେଟ କରି ସମସ୍ତ କାର୍ଯ୍ୟ କରିପାରିବେ । ଛାତ୍ରୀ ଜଣକ ଏହି ଡିଭାଇସର ନାଁ ଏକଲବ୍ୟ ରଖିଛନ୍ତି । ଡିଭାଇସଟି ମାଉସର ବିକଳ୍ପ ଭାବେ କାର୍ଯ୍ୟ କରୁଛି । ଛୋଟ ବୟସରେ ଛାତ୍ରୀଙ୍କ ଏପରି ଉଦ୍ଭାବନକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହି ଛାତ୍ରୀ ହେଉଛନ୍ତି ରିବା ନିବାସୀ ରେଣୁକା ମିଶ୍ରା ।
ରେଣୁକା କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢନ୍ତି । ଛୋଟ ବୟସରେ ସମାଜରେ ଦିବ୍ୟାଙ୍ଗମାନଙ୍କ ସଂଘର୍ଷକୁ ହୃଦବୋଧ କରି ସେ ଏକଲବ୍ୟ ଡିଭାଇସ ପ୍ରସ୍ତୁତ କରିଛନ୍ତି । ମହାଭାରତରେ ଆଚାର୍ଯ୍ୟ ଦ୍ରୋଣ ଧର୍ନୁବିଦ୍ୟା ଶିକ୍ଷା ଦେଉଥିବା ବେଳେ ଏକଲବ୍ୟ ତାଙ୍କୁ ଦେଖି ଦେଖି ଜ୍ଞାନପ୍ରାପ୍ତ କରିଥିଲେ । ପରେ ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କୁ ତାଙ୍କର ଆଙ୍ଗୁଳି ଦକ୍ଷିଣା ଭାବେ ମାଗି ନେଇଥିଲେ । ଏହାସତ୍ତ୍ବେ ଏକଲବ୍ୟଙ୍କ ଏକାଗ୍ରତା ତାଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ ଧନୁର୍ଧର କରାଇପାରିଥିଲା । ଏକଲବ୍ୟଙ୍କ ଏହି ପ୍ରେରଣାଦାୟୀ କାହାଣୀକୁ ମୁଣ୍ଡରେ ରଖି ରେଣୁକା ମିଶ୍ରା ଦିବ୍ୟାଙ୍ଗମାନଙ୍କ ପାଇଁ ଏକଲବ୍ୟ ନାମରେ ଡିଭାଇସ ପ୍ରସ୍ତୁତ କରିଛନ୍ତି ।