ଜାକର୍ତା:ଇଣ୍ଡୋନେସିଆର ବାଲିରେ ଜାରି ରହିଥିବା 17ତମ ଜି-20 ସମ୍ମିଳନୀରେ ପ୍ରଥମ ଥର ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଭେଟଘାଟ ହେଇଛି (PM Modi meets UK PM Rishi Sunak for first time)। ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ଉଭୟଙ୍କ ମଧ୍ୟରେ ପ୍ରଥମ ସାକ୍ଷାତକାର । ଏବେ ଇଣ୍ଡୋନେସିଆର ବାଲିରେ ଜି-20 ସମ୍ମିଳନୀରେ 17ତମ ସଂସରଣ ଜାରି ରହିଛି । ଏହି ଅବସରରେ ଅନେକ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତ କରିଛନ୍ତି ।
ଉଭୟଙ୍କ ସାକ୍ଷାତକାର ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରାଯାଇ ସୂଚନା ପ୍ରଦାନ କରାଯାଇଛି । ପିଏମଓ କହିଛି, ବାଲି ସମ୍ମିିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ ସୁନକଙ୍କ ମଧ୍ୟରେ ସାକ୍ଷାତକାର ହେବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି । ସୁନକ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ । ତାଙ୍କ ନେତୃତ୍ବରେ ଭାରତ-ବ୍ରିଟେନ ଦ୍ବିପାକ୍ଷିକ ସମ୍ପର୍କରେ ଆହୁରି ସୁଧାର ଆସିବା ନେଇ ଉଭୟ ନେତା ଆଶା ପ୍ରକଟ କରିଥିଲେ । ତେବେ ଏହା ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ପ୍ରତ୍ୟେକ୍ଷ ସାକ୍ଷାତକାର ବୋଲି ପିଏମଓ ସୂଚନା ଦେଇଛି ।
ଏହା ମଧ୍ୟ ପଢନ୍ତୁ:- ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା
ଅଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହେଉଥିବା ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ସୋମବାର) ବାଲି ଗସ୍ତ କରିଥିଲେ । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡନେ, ପ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ଅନ୍ୟ କିଛି ରାଷ୍ଟ୍ରମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିଥିବା ଦେଖିବାକୁ ମିଳିଥିଲା ।
କାର୍ଯ୍ୟକ୍ରମ ପରେ ଆଜି (ମଙ୍ଗଳବାର) ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଥିବା ଭାରତୀୟ ସମୂଦାୟକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ରହିଥିବା ହଜାର ବର୍ଷ ପୁରୁଣା ବ୍ୟବସାୟିକ ଓ ସାଂସ୍କୃତିକ ସମ୍ପର୍କ କଥା ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରା କଥା ସହ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ପ୍ରବାସୀଙ୍କ ଗୁରୁ ଭୂମିକା ଥିବା କଥା ପ୍ରଧାନମନ୍ତ୍ରୀ କହିଥିଲେ ।
ଆସନ୍ତାବର୍ଷ (2023) ରେ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ଚଳିତ ବର୍ଷ ଡିସେମ୍ବରରେ ଭାରତ ଏହି ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା ଭାର ଗ୍ରହଣ କରିବାକୁ ଯାଉଛି । ଏଥିପାଇଁ ଲୋଗୋ, ଥିମ ଓ ଓ୍ବେବସାଇଟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଉନ୍ମୋଚିତ ହୋଇସାରିଛି । ଆସନ୍ତାବର୍ଷ ସମ୍ମିଳନୀର ଥିମ ରହିଛି ଏକ ବିଶ୍ବ,ଏକ ପରିବାର,ଏକ ଭବିଷ୍ୟତ (One earth, one family, one future) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ