ନୂଆଦିଲ୍ଲୀ:ଭାରତ-ନେପାଳ ମଧ୍ୟରେ ସୁସମ୍ପର୍କ ରହିଆସିଛି । ଗତ ବର୍ଷଗୁଡିକରେ ମଧ୍ୟ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହୋଇଛି । ଦୁଇ ଦେଶ ମଧ୍ୟରେ ଦୀର୍ଘ ମିଆଦି ପାଓ୍ବାର ଟ୍ରେଡ ଏଗ୍ରିମେଣ୍ଟ ମଧ୍ୟ ସ୍ବାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ସୁଦୃଢତା ବଢାଇବା ପାଇଁ ଉଭୟ ଦେଶ କାର୍ଯ୍ୟ ଜାରି ରଖିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ଗୁରୁବାର) ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଲୋଚନା ହୋଇଛି । ଆଲୋଚନା ପରେ ଉଭୟ ନେତା ମିଳିତ ପ୍ରେସ୍ମିଟକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି ।
ମିଳିତ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ ହେବା ଉପରେ ଗୁରୁତ୍ବ ଦିଆଯାଇ ଆସୁଛି । କେବଳ ବାଣିଜ୍ୟ କି ଶକ୍ତି କ୍ଷେତ୍ରରେ ନୁହେଁ, ବରଂ ଉଭୟ ଦେଶ ମଧ୍ୟରେ ପ୍ରତ୍ୟେକ୍ଷ ଯୋଗାଯୋଗ ପାଇଁ ରେଳ ଲାଇନ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସେହିପରି ଭାରତ-ନେପାଳ ମଧ୍ୟରେ ଧାର୍ମିକ ଓ ସଂସ୍କୃତିକ ସମ୍ପର୍କ ମଧ୍ୟ ବେଶ ପୁରୁଣା ଓ ସୁଦୃଢ ମଧ୍ୟ । ଏହାକୁ ଆହୁରି ନିବିଡ଼ କରିବା ପାଇଁ ଉଭୟ ଦେଶ ଏକାଧିକ କର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ରାମାୟଣ ଦୁଇ ଦେଶ ମଧ୍ୟରେ ଧାର୍ମିକ ଓ ସାସ୍କୃତିକ ମୁଲ୍ୟବୋଧକୁ ଆହୁରି ଅଧିକ କ୍ରିୟାଶୀଳ କରିଛି । ସାଂସ୍କୃତିକ ସମ୍ପର୍କର ସୁଦୁଢୀକରଣ ଲକ୍ଷ୍ୟରେ ରାମାୟଣ ସର୍କିଟ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଉଭୟ ଦେଶ କର୍ଯ୍ୟକ୍ରମ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ନେପାଳ ଗସ୍ତ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ସେ 2014ରେ ନେପାଳ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢୀକରଣ ଉପରେ ଗୁରୁତ୍ବାରୋପ କରିଥିଲେ ।