ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ରାଜନୈତିକ ବିବାଦ ଯେ କେତେ ତୀବ୍ର ତାହା ସମସ୍ତେ ଜାଣନ୍ତି । ଏପରି କି ଉଭୟଙ୍କ ମନ୍ତବ୍ୟ ଓ ପରସ୍ପର ପ୍ରତି ବୟାନରେ ମଧ୍ୟ ଏହି କଥା ପ୍ରତିଫଳିତ ହେବାର ଦେଖାଯାଏ । କିନ୍ତୁ ରାଜନୀତିରେ ସବୁକିଛି ଯେପରି ଦେଖାଯାଏ ବାସ୍ତବରେ ତାହା ସେପରି ନୁହେଁ, ଏହି ଉକ୍ତିକୁ ବୁଝିବା ପାଇଁ ମୋଦି-ମମତାଙ୍କ ସମ୍ପର୍କକୁ ଉଦାହରଣ ଭାବେ ନିଆ ଯାଇପାରେ । ଶନିବାର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀରେ ମମତା ଏବଂ ମୋଦି ମୁହାଁମୁହିଁ ହୋଇଥିଲେ, ସେତେବେଳେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରାମଣା ମଧ୍ୟ ଉପସ୍ଥିତ ଥିଲେ । ସୋସିଆଲ ମିଡିଆରେ ସେମାନଙ୍କ ସାକ୍ଷାତର ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନାଲି ଲଙ୍କା (Red chilli) ଉପରେ କିଛି ବୁଝାଉଥିବାବେଳେ ମମତା ମଧ୍ୟ ମୋଦିଙ୍କ କଥା ବେଶ ଉତ୍ସୁକତାର ସହ ଶୁଣୁଥିବା ଦେଖିବାକୁ ମିଳିଛି । ଏହି ବାର୍ତ୍ତାଳାପ ସମୟରେ ମୋଦି ଓ ମମତାଙ୍କ ମଝିରେ ପ୍ରଧାନ ବିଚାରପତି ରମଣା ମଧ୍ୟ ଉପସ୍ଥିତ ରହିଛନ୍ତି ।