ନୂଆଦିଲ୍ଲୀ:ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମାଣାଧୀନ ନୂଆ ସଂସଦ ଭବନରେ ଅଚାନକ ଗସ୍ତରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ସମଗ୍ର ବିଲ୍ଡିଂ ବୁଲି ଦେଖିଥିଲେ । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଓ ଅନ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ନିର୍ମାଣ କାର୍ଯ୍ୟ ଦାୟିତ୍ବରେ ଥିବା ଅଧିକାରୀ ଓ ଯନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ।
ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ଏହି ନୂତନ ତଥା ଅତ୍ଯାଧୁନିକ ସଂସଦ ଭବନର ନିର୍ମାଣ ଜାରି ରହିଛି । ଏହା ଭାରତୀୟ ଗଣତନ୍ତ୍ରର ଏକ ବିରଳ କୀର୍ତ୍ତିମାନ ହେବାକୁ ଯାଉଛି । ବର୍ତ୍ତମାନର ଆବଶ୍ୟକତାକୁ ଦେଖି ଅତ୍ୟନ୍ତ ଭବ୍ୟ ଓ ଆଧୁନିକତାର ସହ ଏହାକୁ ନିର୍ମାଣ କରାଯାଉଛି । ଯାହା ବିଶ୍ବର ସର୍ବବୃହତ ଲୋକତନ୍ତ୍ରର ସର୍ବଶ୍ରେଷ୍ଟ ଅନୁଷ୍ଠାନ ହେବାକୁ ଯାଉଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ-ପ୍ରୋଜେକ୍ଟ ମଧ୍ୟ କୁହାଯାଏ । ଏହାପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଥରେ ନୂତନ ସଂସଦ ଭବନ ପରିଦର୍ଶନ କରିସାରିଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ସେମାନଙ୍କୁ ରାମନବମୀର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।