ଗାନ୍ଧୀନଗର:ଭଦୋଦରାରେ C 295 ବିମାନ ପ୍ଲାଣ୍ଟର ଶିଳାନ୍ୟାସ । ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭଦୋଦରାରେ ଭାରତୀୟ ବାୟୁସେନା ପାଇଁ ଟାଟା ନିର୍ମାଣ କରିବାକୁ ଯାଉଥିବା ପରିବହନ ବିମାନ C 295 ଉତ୍ପାଦନକାରୀ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି (transport aircraft manufacturing plant in Vadodara )। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେଦ୍ର ପଟେଲଙ୍କ ସମତେ ଟାଟା ସନ୍ସର ପରିଚାଳନା ମୁଖ୍ୟ ଏନ.ଚନ୍ଦ୍ରଶେଖରନ ମଧ୍ୟ ଉପସ୍ଥିତ ଥିଲେ । ପ୍ରତିଷ୍ଠା ହେବାକୁ ଥିବା ଟାଟା-ଏୟାରବେସରେ ଭାରତୀୟ ବାୟୁସେନା ପାଇଁ ଅତ୍ୟାଧୁନିକ ପରିବହନ ବିମାନ ନିର୍ମାଣ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ବାୟୁସେନା ପାଇଁ 40ଟି ବିମାନ ନିର୍ମାଣ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ରପ୍ତାନୀ ଉଦ୍ଦେଶ୍ୟରେ ମଧ୍ୟ ଉତ୍ପାଦନ ଜାରି ରଖିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରତିରକ୍ଷା ବିଭାଗ ସୂଚନା ଦେଇଥିଲା । ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହି ଉତ୍ପାଦନ ୟୁନିଟର ଶିଳାନ୍ୟାସ କରିଛନ୍ତି ।
ଆଜି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ‘‘ଏହା ଏକ ଐତିହାସିକ ଓ ଗର୍ବର ମୁହୂର୍ତ୍ତ । ଦେଶରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଘରୋଇ ଉଦ୍ୟୋଗ ଦ୍ବାରା ଭିତ୍ତିପ୍ରସ୍ତାର ସ୍ଥାପନ କରାଯାଇଛି । ଏହା କେବଳ ଏକ ଭିତ୍ତିପ୍ରସ୍ତର ନୁହେଁ ବରଂ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଆତ୍ମନିର୍ଭର ଭାରତ ମିଶନର ଏକ ମାଇଲଖୁଣ୍ଟ । ସ୍ବଦେଶରେ ନିର୍ମିତ ହେବାକୁ ଥିବା ଏହି ଅତ୍ୟାଧୁନିକ ବିମାନ (C-295 aircraft ) ବିଶ୍ବସ୍ତରୀୟ ଗୁଣବତ୍ତା ସମ୍ପନ୍ନ ହେବ । ଯାହା ଭାରତୀୟ ବାୟୁସେନାକୁ ପରିବହନ ପ୍ରକ୍ରିୟାରେ ବେଶ ଶକ୍ତିଶାଳୀ କରିବ ।’’