ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆରେ ଆତ୍ମନିର୍ଭର ଭାରତ ସ୍ବୟଂମପୂର୍ଣ୍ଣ ଯୋଜନାର ହିତାଧିକାରୀଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ହିତାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ସରକାରଙ୍କ ସହାୟତା ଓ ଲୋକଙ୍କ ପରିଶ୍ରମ ମିଳିତ ଭାବରେ ସମାଜରେ ବଡ଼ ପରିବର୍ତ୍ତନ ଆଣିବା ସହ ଆତ୍ମବିଶ୍ବାସ ବଢାଇଥାଏ, ତାହା ସେ ଏହି କଥାବାର୍ତ୍ତା ସମୟରେ ଅନୁଭବ କରିଥିବା କହିଛନ୍ତି ।
ଏହି କାର୍ଯ୍ୟକ୍ରମ ସମୟରେ ମୋଦି କହିଛନ୍ତି ଯେ ଆଜି ଗୋଆ ନୂଆ ଆତ୍ମବିଶ୍ବାସ ସହିତ ଅଗ୍ରଗତି କରିବାରେ ଲାଗିଛି । ବହୁ ସମୟ ଧରି ରାଜନୈତିକ ସ୍ବାର୍ଥ ଓ ରାଜନୈତିକ ଅସ୍ଥିରତା ଯୋଗୁଁ ଗୋଆର ଅଗ୍ରଗତି ହୋଇପାରିନଥିଲା । କିନ୍ତୁ ଏହି ବହୁ ବର୍ଷର ଅସ୍ଥିରତାକୁ ଗୋଆବାସୀ ସ୍ଥିରତାରେ ପରିବର୍ତ୍ତନ କରିଥିବା ସେ କହିଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି, ସେଗୁଡିକୁ ଗୋଆରେ ସଫଳତାର ସହିତ ଲାଗୁ କରାଯାଉଛି ବୋଲି କହିଛନ୍ତି ମୋଦି ।