ମୁମ୍ବାଇ:କର୍ଣ୍ଣାଟକ ଗସ୍ତ ସାରି ଅପରାହ୍ନରେ ମୁମ୍ବାଇରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ମୁମ୍ବାଇରେ ଦୁଇଟି ନୂଆ ମେଟ୍ରୋ ଲାଇନ 2A ଏବଂ 7ର ଲୋକାର୍ପଣ କରିଛନ୍ତି । ଏହି ନୂତନ ମେଟ୍ରୋ ଲାଇନ ଆନ୍ଧେରୀରୁ ଦହିସର ପର୍ଯ୍ୟନ୍ତ 35 କିଲୋମିଟର ଦୂରତା ବିଶିଷ୍ଟ ରହିଛି । ଏଥିପାଇଁ ପ୍ରାୟ 12,600 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସହ ପ୍ରଧାନମନ୍ତ୍ରୀ ଅନ୍ୟ କିଛି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଭଗବତ ସିଂ କୋଶିୟାରୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
ସେହିପରି ପ୍ରଧାନମନ୍ତ୍ରୀ ମୁମ୍ବାଇ ମୋବାଇଲ୍ ଆପ୍ (MUMBAI 1 Mobile App) ଏବଂ ନ୍ୟାସନାଲ କମନ୍ ମୋବିଲିଟି କାର୍ଡ(ମୁମ୍ବାଇ) ମଧ୍ୟ ଲଞ୍ଚ କରିଛନ୍ତି । ଏହି ଆପ୍ ଭ୍ରମଣ ପ୍ରକ୍ରିୟାକୁ ସହଜ କରିବା ସହ ମେଟ୍ରୋ ଷ୍ଟେସନର ପ୍ରବେଶ ପଥରେ ମଧ୍ୟ ବ୍ୟବହାର କରିହେବ । UPI ମାଧ୍ୟମରେ ଟିକେଟ୍ କିଣିବା ପାଇଁ ଡିଜିଟାଲ୍ ପେମେଣ୍ଟକୁ ମଧ୍ୟ ଏହି କାର୍ଡ ମାଧ୍ୟମରେ କାର୍ଯ୍ଯକାରୀ କରାଯାଇପାରିବ । ମେଟ୍ରୋ ଲାଇନ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନିଜେ ଟିକେଟ କିଣି ମେଟ୍ରୋରେ ଯାତ୍ରା ମଧ୍ୟ କରିଥିଲେ । ସାଙ୍ଗରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଥିଲେ ।