ଅଯୋଧ୍ୟା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ରାମ ଜନ୍ମଭୂମି ଅଯୋଧ୍ୟା ଗସ୍ତ କରିଛନ୍ତି । ଏହି ଗସ୍ତରେ ମୋଦି ଅନେକ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଅଯୋଧ୍ୟା ଜଙ୍କସନ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ସ୍ଥିତ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିଛନ୍ତି । ଏହି ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ୧୪୫୦ କୋଟି ବ୍ୟୟ କରାଯାଇଛି । ବିମାନବନ୍ଦରର ଟର୍ମିନାଲ ୬୫୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପିଥିବା ବେଳେ ବାର୍ଷିକ ୧୦ ହଜାର ଯାତ୍ରୀଙ୍କ ଯାତାୟାତ ପାଇଁ ବ୍ୟବସ୍ଥା ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତ ଲାଗି ବ୍ୟାପକ ବ୍ୟବସ୍ଥା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଅଯୋଧ୍ୟାବସୀ ଭବ୍ୟ ସ୍ବାଗତ କରିଥିଲେ । ଏହି ଗସ୍ତକୁ ଦୃଷ୍ଟିରେ ରଖି ସୁଗନ୍ଧିତ ରଙ୍ଗ ବେରଙ୍ଗର ପୁଷ୍ପ ସହିତ ନବବଧୂ ପରି ସଜେଇ ହୋଇଥିଲା ରାମନଗରୀ । ଅଯୋଧ୍ୟାର ନବନିର୍ମିତ ବିମାନ ବନ୍ଦର ପାଇଁ ଗତ ୨୦୨୨ ଏପ୍ରିଲରେ ଉତ୍ତରପ୍ରଦେଶ ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିଥିଲା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ । ପ୍ରଥମେ ଏହି ବିମାନ ବନ୍ଦରର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ନାମାନୁସାରେ ରଖାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ନାମକୁ ପରିବର୍ତ୍ତନ କରାଯାଇଛି ।
ଏହା ବି ପଢନ୍ତୁ- ଅଯୋଧ୍ୟା ଧାମ ଷ୍ଟେସନ ଲୋକାର୍ପିତ: ଦେଶରେ ଗଡିଲା ପ୍ରଥମ ଅମୃତ ଭାରତ ଟ୍ରେନ
ଏହି ବିମାନ ବନ୍ଦରର ଟର୍ମିନାଲର ଆକାର ରାମ ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଛି । ଟର୍ମିନାଲର ଭିତର ପାର୍ଶ୍ବରେ ସ୍ଥାନୀୟ କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି । ଏହାସହିତ ରାମାୟଣର ଅନେକ କଥାବସ୍ତୁକୁ ରଙ୍ଗତୂଳୀରେ ଟର୍ମିନାଲ ଭିତର କାନ୍ଥରେ ଦର୍ଶାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଟର୍ମିନାଲ ଭିତରର ସୌନ୍ଦର୍ଯ୍ୟକରଣ କରାଯାଇଛି । ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖାଯାଇ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ବିମାନ ବନ୍ଦର ଅନେକ କ୍ଷେତ୍ରକୁ ସଂଯୋଗ କରୁଥିବା ବେଳେ ଯାତ୍ରୀ ବହୁ ଉପକୃତ ହେବେ ।