ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଆସନ୍ତାକାଲି(ଶନିବାର) ଉତ୍ତରାଖଣ୍ଡ (ଡେରାଡୁନ) ଗସ୍ତ କରିବେ(visit Dehradu) । ମଧ୍ୟାହ୍ନ 1ଟା ବେଳେ ପ୍ରାୟ 18 ହଜାର କୋଟି ଟଙ୍କାର ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଗସ୍ତ ଅବସରରେ ସଡକ ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ଗୁଡିକୁ ଅଧିକ ଗୁରୁତ୍ବ ପ୍ରଦାନ କରାଯିବ । ଯାହା ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ସହ ଅଞ୍ଚଳରେ ପର୍ଯ୍ୟଟନକୁ ସମୃଦ୍ଧ କରିବ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ଏହି ପ୍ରକଳ୍ପଗୁଡିକ ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା ସହ ସୁଗମ କରିବ ।
ପ୍ରଧାନମନ୍ତ୍ରୀ 11ଟି ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିରେ ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡର (ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେ ଜଙ୍କସନରୁ ଡେରାଡୁନ)(Delhi-Dehradun Economic Corridor ) ସାମିଲ ରହିଛି । ଯାହା 8 ହଜାର 3 ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ । ଏହା ଦିଲ୍ଲୀ ଠାରୁ ଡେରାଡୁନ ପର୍ଯ୍ୟନ୍ତ 6ଘ ଣ୍ଟାର ରାସ୍ତାକୁ 2.5 ଘଣ୍ଟାକୁ ହ୍ରାସ କରିବ । ଏଥିରେ ହରିଦ୍ବାର, ମୁଜାଫରନଗର, ଶାମଲି, ଯମୁନାନଗର, ବାଗପତ, ମିରଟ ଓ ବରୌତ ଆଦି ସ୍ଥାନକୁ ସଂଯୁକ୍ତ କରିବା ପାଇଁ ସାତଟି ପ୍ରମୁଖ ଇଣ୍ଟରଚେଞ୍ଜ ରହିବ । ଏଥିରେ ବନ୍ୟଜନ୍ତୁଙ୍କ ଅବାଧ ଚଳପ୍ରଚଳ ପାଇଁ ଏସିଆର ସବୁଠାରୁ ବଡ ବନ୍ୟଜୀବ ଏଲିଭେଟେଡ କରିଡର 12 କିଲୋମିଟର ରହିବ । ଏହାସହିତ ଡେରାଡୁନର ଦତ କାଳୀ ମନ୍ଦିର ନିକଟରେ 340 ମିଟର ଲମ୍ବ ସୁଡଙ୍ଗ ବନ୍ୟଜୀବଙ୍କ ଉପରେ ପଡିବାକୁ ଥିବା ପ୍ରଭାବ କମାଇବାରେ ସହାୟକ ହେବ ।
ଏହାବ୍ୟତୀତ ଗଣେଶପୁର- ଡେରାଡୁନ ଖଣ୍ଡରେ ଗାଡିମୋଟର ଓ ବନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ଦୁର୍ଘଟଣା ଏଡାଇବା ପାଇଁ ବନ୍ୟଜନ୍ତୁଙ୍କ ପାଇଁ ଅନେକ ରାସ୍ତା ନିର୍ମାଣ ହୋଇଛି । ଦିଲ୍ଲୀ- ଡେରାଡୁନ ଅର୍ଥନୈତିକ କରିଡର( Delhi-Dehradun Economic Corridor) ରେ 500 ମିଟର ଅନ୍ତରରେ ବର୍ଷାଜଳ ସଞ୍ଚୟ ବ୍ୟବସ୍ଥା ଓ 400 ରୁ ଅଧିକ ଜଳ ରିଚାର୍ଜ ପଏଣ୍ଟ ବ୍ୟବସ୍ଥା ରହିବ ।
ଦିଲ୍ଲୀ-ଡେରାଡୁନ ଅର୍ଥନୈତିକ କରିଡରରୁ ଗ୍ରୀନଫିଲ୍ଡ ଶ୍ରେଣୀବଦ୍ଧ ପ୍ରକଳ୍ପ, ସାହାରନପୁରର ହଲଗୋଆରୁ ହରିଦ୍ବାରର ଭଦ୍ରାବାଦକୁ ସଂଯୋଗ କରୁଥିବା ପ୍ରକଳ୍ପ 2 ହଜାର କୋଟି ଟଙ୍କାରୁ ଅଧିକ ବିନିଯୋଗରେ ନିର୍ମିତ ହେବ । ଏହି ପ୍ରକଳ୍ପ ଦିଲ୍ଲୀରୁ ହରିଦ୍ବାର ପର୍ଯ୍ୟନ୍ତ ଯାତାୟତକୁ ସୁଗମ କରିବା ସହ ଯାତ୍ରା ସମୟ ହ୍ରାସ କରିବ । 1 ହଜାର 6 କୋଟି ଟଙ୍କାରୁ ଅଧିକ ବିନିଯୋଗରେ ନିର୍ମିତ ହେବାକୁ ଥିବା ମନୋହରପୁରରୁ କାଙ୍ଗଡି ପର୍ଯ୍ୟନ୍ତ ହରିଦ୍ବାର ରିଙ୍ଗ ରୋଡ ପ୍ରକଳ୍ପ, ହରିଦ୍ବାର ସହର ବାସିନ୍ଦା, ବିଶେଷ କରି ପର୍ଯ୍ୟଟନ ଋତୁରେ ଯିବା ଆସିବା ବେଳେ ଲାଗୁଥିବା ଜାମ ସମସ୍ୟାରୁ ମୁକ୍ତି ଦେବ ଓ କୁମାଉନ କ୍ଷେତ୍ର ସହିତ ଯୋଗାଯୋଗ ଉନ୍ନତ ହେବ ।
ପ୍ରାୟ 1 ହଜାର 7 ଶହ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଡେରାଡୁନ- ପାଓଁତା ସାହିବ (ହିମାଚଳ ପ୍ରଦେଶ) ସଡକ ପ୍ରକଳ୍ପ ଯାତ୍ରା ସମୟ ହ୍ରାସ କରିବ ଓ ଦୁଇ ସ୍ଥାନ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବ । ଏହା ଆନ୍ତଃରାଜ୍ୟ ପର୍ଯ୍ୟଟନକୁ ମଧ୍ୟ ସମୃଦ୍ଧ କରିବ । ନଜିମାବାଦ- କୋଟଦ୍ବାର ସଡକ ପ୍ରଶସ୍ତିକରଣ ପ୍ରକଳ୍ପ ଦ୍ବାରା ଯାତ୍ରା ସମୟ ହ୍ରାସ ପାଇବା ସହ ଲାନ୍ସଡାଉନ ସହ ଯୋଗାଯୋଗ ଉନ୍ନତ କରିବ ।