ନୂଆଦିଲ୍ଲୀ: କର୍ମଠ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ବର୍ଷରେ ଦୀର୍ଘ ୯ ବର୍ଷ ଧରି ଶାସନ ଭାର ସମ୍ଭାଳି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ ପସନ୍ଦ ନୁହେଁ ଛୁଟି । ସର୍ବଦା କାମ କରିବାକୁ ଆଗଭର ବିଶ୍ବର ଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ଅନ୍ୟତମ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମେ କହୁ ନାହୁଁ, ଆରଟିଆଇକୁ ତଥ୍ୟରୁ ଜଣାପଡିଛି । ୨୦୧୪ରୁ ଏଯାବତ ପ୍ରଧାନମନ୍ତ୍ରୀ ମୋଦି ନେଇନାହାନ୍ତି ଗୋଟିଏ ବି ଛୁଟି । ପ୍ରଧାନମନ୍ତ୍ରୀ ଏଯାବତ ୩୦୦୦ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସୂଚନା ଅଧିକାର (RTI) ପ୍ରଶ୍ନର ଉତ୍ତର ଦେବାବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି ।
ମହାରାଷ୍ଟ୍ର ପୁଣେର ଜଣେ ଉଦ୍ୟୋଗୀ ପ୍ରଫୁଲ ପି ସାରଦା ସୂଚନା ଅଧିକାର ଆଧାରରେ ଏକ ଆବେଦନ କରିଥିଲେ । ଆବେଦନ ପତ୍ରରେ ସେ ୨ଟି ପ୍ରଶ୍ନ କରିଥିଲେ । ଗୋଟିଏ ପ୍ରଶ୍ନ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଏଯାବତ କେତୋଟି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ଉତ୍ତର ରଖି କୁହାଯାଇଛି, " ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ନିଜ ଡ୍ୟୁଟିରେ ରହିଥାନ୍ତି । ସେ ଅଫିସରୁ ଏଯାବତ ଗୋଟିଏ ବି ଛୁଟି ନେଇନାହାନ୍ତି ।"
ଏହା ବି ପଢନ୍ତୁ- Most Popular World Leader: 78% ସହ ଆଗରେ ମୋଦି, ପଛରେ ବାଇଡେନ-ସୁନାକ
ଦ୍ବିତୀୟ ପ୍ରଶ୍ନରେ ଆବେଦନକାରୀ ପ୍ରଫୁଲ୍ଲ ପ୍ରଧାନମନ୍ତ୍ରୀ କେବେ, କେଉଁଠି ଓ କେଉଁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ, ତାହାର ତଥ୍ୟ ମାଗିଥିଲେ । ଏହାଉପରେ ପ୍ରତିକ୍ରିୟା ରଖି PMO ପକ୍ଷରୁ ଏକ ୱେବସାଇଟ ଆବେଦନକାରୀଙ୍କୁ ଦିଆଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ୨୦୧୪ ମସିହାରୁ ଏଯାବତ ମୋଟ ୩୦୦୦ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଜଣାପଡ଼ିଛି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଛି । ସୋସିଆଲ ମିଡିଆରେ ୟୁଜର୍ସ ପ୍ରଧାନମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଜଣେ ପ୍ରଭାବଶାଳୀ, ଆଦର୍ଶ ନେତା ବୋଲି କହିଛନ୍ତି । ଦେଶ ସେବାରେ ଏହି ନିରନ୍ତର ସେବାକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।