ନୂଆଦିଲ୍ଲୀ: ଆକାଶରୁ ଗଭୀର ସମୁଦ୍ର ପର୍ଯ୍ୟନ୍ତ ସବୁଠାରେ ଫିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟରେ ବେଙ୍ଗାଲୁରୁରେ ‘ତେଜସ’ ଲଢୁଆ ବିମାନରେ ଉଡାଣ ଭରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଲାକ୍ଷାଦ୍ବୀପ ଗସ୍ତରେ ଗଭୀର ସମୁଦ୍ରରେ ସ୍କୁବା ଡାଇଭିଂ କରିଛନ୍ତି । ଗତକାଲି ସେ ଲାକ୍ଷାଦ୍ବୀପ ଗସ୍ତ କରି ଫେରିଛନ୍ତି । ଆଜି ନିଜ ରୋମାଞ୍ଚକପୂର୍ଣ୍ଣ ଲାକ୍ଷାଦ୍ବୀପ ଗସ୍ତ ସମ୍ପର୍କରେ ଏକାଧିକ ଫଟୋ ସେୟାର କରି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତକୁ ସେ ଏକ ଉତ୍ସାହବର୍ଦ୍ଧକ ଗସ୍ତ ବୋଲି କହିଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଏକାଧିକ ଫଟୋ ସେୟାର କରି ଲାକ୍ଷାଦ୍ବୀପ ଗସ୍ତକୁ ଅବିସ୍ମରଣୀୟ ବୋଲି କରିଛନ୍ତି । ସ୍ଥାନୀୟ ଲୋକଙ୍କର ଆତିଥ୍ୟତା ପାଇଁ ମଧ୍ୟ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି,‘‘ ନିକଟରେ ମୁଁ ଲକ୍ଷାଦ୍ବୀପ ଗସ୍ତ କରି ସେଠାକାର ଲୋକଙ୍କ ସହ ସମୟ ବିତାଇବାର ଅବସର ପାଇଲି । ଲାକ୍ଷାଦ୍ବୀପର ଚମତ୍କାର ସୌନ୍ଦର୍ଯ୍ୟ ଏବଂ ସେଠାକାର ଲୋକମାନଙ୍କ ମଧ୍ୟରେ ଥିବା ଅବିଶ୍ୱାସନୀୟ ଉତ୍ସାହ ଦ୍ୱାରା ମୁଁ ବିସ୍ମିତ । ଆଗତୀ, ବଙ୍ଗରାମ ଓ କବାରତୀରେ ଲୋକଙ୍କ ସହ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଲା । ଆତିଥ୍ୟ ପାଇଁ ମୁଁ ଏହି ଦ୍ୱୀପପୁଞ୍ଜ ଲୋକଙ୍କୁ ଧନ୍ୟବାଦ ଦେଉଛି । ଆକାଶମାର୍ଗରୁ ଲାକ୍ଷାଦ୍ବୀପର କିଛି ଝଲକ...’’
ଗତକାଲି (3 ଡିସେମ୍ବର) ଲାକ୍ଷାଦ୍ବୀପ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବୀପପୂଞ୍ଜ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ 1,156 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କିଛି ପ୍ରକଳ୍ପର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଲାକ୍ଷାଦ୍ବୀପ ଆକାରରେ ଛୋଟ ହୋଇପାରେ କିନ୍ତୁ ଏହାର ହୃଦୟ ବହୁତ ବଡ଼ । ଏଠାରୁ ମିଳୁଥିବା ପ୍ରେମ ଏବଂ ଆଶୀର୍ବାଦରେ ମୁଁ ଅଭିଭୂତ ହୋଇଯାଇଛି । ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସ୍ବାଧୀନତା ପରେ ଦଶନ୍ଧି ଧରି କେନ୍ଦ୍ରରେ ରହିଥିବା ସରକାରଙ୍କ ଏକମାତ୍ର ପ୍ରାଥମିକତା ହେଛି ରାଜନୈତିକ ଦଳ ଦ୍ବାରା ଦେଶର ବିକାଶ କରିବା । ଗତ 10 ବର୍ଷ ଧରି ଆମ ସରକାର ସୀମାନ୍ତ ଅଞ୍ଚଳ ଓ ଦ୍ବୀପାଞ୍ଚଳକୁ ଗୁରୁତ୍ବ ଦେଇଛନ୍ତି। " ଆଜି ପ୍ରଧାନମନ୍ତ୍ରୀ ନିଜ ଗସ୍ତର ରୋମାଞ୍ଚକର ଅନୁଭୂତି ସମ୍ପର୍କିତ ଫଟୋ ମଧ୍ୟ ସେୟାର କରିଛନ୍ତି ।