ବର୍ଲିନ:ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମ ଦିନରେ ଜର୍ମାନୀ ରାଜଧାନୀ ବର୍ଲିନରେ ପହଞ୍ଚିଛନ୍ତି । ପ୍ରଥମ ଦିନରେ ବର୍ଲିନରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଜର୍ମାନୀ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି । ଆଜି (ସୋମବାର) ବର୍ଲିନର ଫେଡେରାଲ ଚାନ୍ସେଲେରୀରେ ସବୁଜ ତଥା ନିରନ୍ତର ଶକ୍ତି ସହଭାଗୀତା ଚୁକ୍ତି ସ୍ୱାକ୍ଷର କରିଛନ୍ତି ଉଭୟ ରାଷ୍ଟ୍ରମୁଖ୍ୟ ।
6ଷ୍ଠ ଆନ୍ତଃ-ସରକାରୀ କନସୁଲେସନ (Inter-Governmental Consultations) ପରେ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । IGC ଏକ ଦ୍ୱି-ବର୍ଷୀୟ ଫର୍ମାଟ ଯାହା ଭାରତ ଓ ଜର୍ମାନୀର ଦ୍ବିପାକ୍ଷିକ ସମ୍ପର୍କରେ ରହିଆସିଛି । ସହଭାଗୀତାର ପ୍ରମୁଖ କ୍ଷେତ୍ରଗୁଡିକ ଚିହ୍ନଟ କରିବା ଓ ଦୁଇ ଦେଶ ମଧ୍ୟରେ ସହଯୋଗର ସମୀକ୍ଷା କରିବା ପାଇଁ IGC ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି ।