ମୁମ୍ବାଇ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଶୁକ୍ରବାର ମୋଦି ମୁମ୍ବାଇ-ସୋଲାପୁର ଓ ମୁମ୍ବାଇ-ସାଇନଗର ସିରିଡି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପସ୍ଥିତ ଥିଲେ । ଏହି ଦୁଇଟି ଟ୍ରେନକୁ ମିଶାଇ ମୁମ୍ବାଇରେ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା ୩ ଏବଂ ଦେଶରେ ୧୦କୁ ବୃଦ୍ଧି ପାଇଛି ।
ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇ ଓ ସୋଲାପୁର ମଧ୍ୟରେ ସଂଯୋଗକୁ ଉନ୍ନତ କରିବ । ଏହା ସୋଲାପୁରର ସିଦ୍ଧେଶ୍ବର, ଆକଲକୋଟ, ତୁଲଜାପୁର, ପନ୍ଧାରପୁର ଓ ପୁଣେ ନିକଟସ୍ଥ ଅଲାଣ୍ଡି ଆଦି ପ୍ରମୁଖ ତୀର୍ଥସ୍ଥାନକୁ ଯାତ୍ରା କରିବାରେ ସୁବିଧା ପ୍ରଦାନ କରିବ । ଏହି ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇ ଓ ଟେକ୍ସଟାଇଲ ସହର ମଧ୍ୟରେ ୪୫୫ କିମି ଦୂରତାକୁ ୬ ଘଣ୍ଟା ୩୦ ମିନିଟ୍ରେ ଅତିକ୍ରମ କରିବ । ଯାହାଦ୍ବାରା ଯାତ୍ରା ସମୟ ୧ ଘଣ୍ଟା କମିଯିବ ।