ଡେରାଡୁନ: ଏବେ ଦିଲ୍ଲୀରୁ ଡେରାଡୁନ ଯାତ୍ରା ସହଜ ହେବ । ଦେବଭୂମି ଉତ୍ତରାଖଣ୍ଡକୁ ତାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ମିଳିଛି । ଆଜିଠୁ ଦେବଭୂମିରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଜରିଆରେ ସବୁଜ ପତାକା ଦେଖାଇ ଉତ୍ତରାଖଣ୍ଡ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଡେରାଡୁନ ଓ ଦିଲ୍ଲୀ ମଧ୍ୟରେ ଏହି ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବ ।
ଉତ୍ତରାଖଣ୍ଡକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି,"ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ନେଇ ଉତ୍ତରାଖଣ୍ଡବାସୀଙ୍କୁ ଅନେକ ଶୁଭେଚ୍ଛା । ଦିଲ୍ଲୀ ଓ ଡେରାଡୁନ ମଧ୍ୟରେ ଚଳାଚଳ ଏହି ଟ୍ରେନ ଦେଶର ରାଜଧାନୀକୁ ଦେବଭୂମି ସହ ଅଧିକ ଦ୍ରୁତ ଗତିରେ ଯୋଡିବ । ବନ୍ଦେ ଭାରତରୁ ଦିଲ୍ଲୀ-ଡେରାଡୁନ ମଧ୍ୟରେ ରେଳ ଯାତ୍ରାରେ ସମୟ କମିଯିବ । ଏହି ଟ୍ରେନରେ ଥିବା ସୁବିଧା ଯାତ୍ରାକୁ ଆରାମଦାୟ କରିବ । ଆଜି ସାରା ବିଶ୍ବ ଭାରତକୁ ନେଇ ଅନେକ ଆଶା ରଖିଛି । ଆମେ ଭାରତୀୟ ଯେଉଁଭଳି ଭାବେ ଅର୍ଥବ୍ୟବସ୍ଥାକୁ ମଜବୁତ କରିଛୁ, ଗରିବୀ ସହ ଲଢିଛୁ ତାହା ବିଶ୍ବରେ ବିଶ୍ବାସ ସୃଷ୍ଟି କରିଛି । ସରକାରଙ୍କ ସମସ୍ତ ପ୍ରୟାସ ବିକାଶ ଓ ନବରତ୍ନ ଉପରେ ଫୋକସ ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ରୋଜଗାର ସୁଯୋଗ ସୃଷ୍ଟି ପାଇଁ ଆମ ସରକାର ପରିଶ୍ରମ କରୁଛନ୍ତି । ଆମ ସୀମାରେ ପହଁଞ୍ଚି ସହଜ ହେବ ରାଷ୍ଟ୍ର ସୁରକ୍ଷାରେ ନିଯୋଜିତ ସେନାଙ୍କ ସୁବିଧା ନେଇ ଏହି ଆତ୍ୟାଧୁନିକ ଟ୍ରେନ ସହଜ ହେବ । ଆମ ଡବଲ ଇଞ୍ଜିନ ସରକାର ଉତ୍ତରାଖଣ୍ଡ ବିକାଶ ପାଇଁ ପ୍ରତିବଦ୍ଧ । ଉତ୍ତରାଖଣ୍ଡର ଦ୍ରୁତ ବିକାଶ ଭାରତର ଦ୍ରୁତ ବିକାଶରେ ସହାୟ ହେବ । ଆଉ ଭାରତ ଅଟକିବ ନାହିଁ ଏବେ ସେ ଦ୍ରୁତ ଗତି ଆରମ୍ଭ କରି ଦେଇଛି ବନ୍ଦେ ଭାରତ ବେଗରେ ଦେଶ ଆଗକୁ ବଢୁଛି ।
କଣ ନବରତ୍ନ:ପ୍ରଥମ ରତ୍ନ କେଦାରନାଥ ଓ ବଦ୍ରୀନାଥ ଧାମରେ 1300 କୋଟି ଟଙ୍କାର ପୁର୍ନନିର୍ମାଣ କାର୍ଯ୍ୟ, ଦ୍ବିତୀୟ ରତ୍ନ ଗୌରୀକୁଣ୍ଡ- କେଦାରନାଥ ଏବଂ ଗୋବିନ୍ଦ ଘାଟ-ହେମକୁଣ୍ଡ କାର୍ଯ୍ୟ, ତୃତୀୟ ରତ୍ନ କୁମାୟୁର ପୌରାଣିକ ମନ୍ଦିରକୁ ଭବ୍ୟ କରିବା, ଚତୁର୍ଥ ରତ୍ନ ସମଗ୍ର ରାଜ୍ୟରେ 4000ରୁ ଅଧିକ ହୋମ ଷ୍ଟେ ପଞ୍ଜୀକରଣ, ପଞ୍ଚମ ପର୍ଯ୍ୟଟନ ଡେଷ୍ଟିନେସର ବିକାଶ, ଷଷ୍ଠ ଉତ୍ତରାଖଣ୍ଡରେ ସ୍ବାସ୍ଥ୍ୟ ସେବାର ବିକାଶ, ସପ୍ତମ 2 ହଜାର କୋଟିରେ ଟିହରୀ ହଦ୍ର ଉନ୍ନତୀକରଣ, ଅଷ୍ଟମ ଋଷିକେଷ-ହରିଦ୍ବାର ପର୍ଯ୍ୟଟନ ଏବଂ ଯୋଗର ରାଜଧାନୀର ରୂପରେ ବିକାଶ ଓ ଅନ୍ତିମ ଅର୍ଥାତ ନବମରତ୍ନ ଟନକପୁର-ବାଗେଶ୍ବର ରେଳ ଲାଇନ ଆରମ୍ଭ ।
ବିରୋଧୀଙ୍କୁ ଟାର୍ଗେଟ:ଉତ୍ତରାଖଣ୍ଡରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ନିଶାନା କରିଛନ୍ତି । ସେ କହିଛନ୍ତି ପୂର୍ବରୁ ଥିବା ସରକାର ଦେଶର ଆବଶ୍ୟକତାକୁ କେବେ ବଝି ନାହାନ୍ତି । ସେମାନଙ୍କ ଧ୍ୟାନ କେବଳ ଭ୍ରଷ୍ଟାଚାର ଘୋଟାଲାରେ ଥିଲା ପରିବାରବାଦ ଭିତରେ ସୀମିତ ଥିଲା । ପରିବାରବାଦରୁ ବାହାରିବାକୁ ତାଙ୍କର ସାମର୍ଥ୍ୟ ନଥିଲା । ହାଇସ୍ପିଡ ଟ୍ରେନକୁ ନେଇ ପୂର୍ବ ସରକାର ବଡ ଦାବି କରିଥିଲେ । ଅନେକ ବର୍ଷ ବିତି ଥିଲେ ସୁଦ୍ଧା କୌଣସି କାର୍ଯ୍ୟ କରିନଥିଲେ । ପୂର୍ବରୁ ଥିବା ସରକାର କେବଳ ପ୍ରତିଶ୍ରୁତି ଦେଉଥିଲେ କେବେ ପୂରଣ କରିନାହାନ୍ତି ମାତ୍ର ଆମେ ଆମ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଡେରାଡୁନ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ରାଜ୍ୟପାଳ ଗୁରମିତ ସିଂହ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଓଡିଶା, ରାଜସ୍ଥାନ, କୋଲକାତା, କେରଳ, ତେଲେଙ୍ଗାନା, ବିହାର ଓ ରାଜସ୍ଥାନ ମାଟିରେ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ ହୋଇ ସାରିଛି ।