ନୂଆଦିଲ୍ଲୀ: ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଗୌରବମୟ ଇତିହାସର ଅନ୍ୟ ଏକ ପ୍ରମୁଖ ସ୍ମାରକୀ ଐତିହାସିକ ଜାଲିଆନାୱାଲାବାଗର ନବୀକରଣ କମ୍ପ୍ଲେକ୍ସକୁ ଦେଶପ୍ରତି ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାରକୀ ଠାରେ ପ୍ରତିଷ୍ଠା କରାଯାଇଥିବା ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ଯୋଗ ଦେଇଥିଲେ ।
1919 ମସିହା ଏପ୍ରିଲ 13 ତାରିଖରେ ଘଟିଥିବା ବହୁ ଚର୍ଚ୍ଚିତ ଜାଲିଆନାଓ୍ବାଲାବାଗ ଘଟଣାରେ ସମସ୍ତ ଘଟଣାବଳୀ ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି । ନୂଆ କମ୍ପ୍ଲେକ୍ସରେ ୪ଟି ସଂଗ୍ରହାଳୟ ଗ୍ୟାଲେରୀ ସୃଷ୍ଟି କରାଯାଇଛି । ଗ୍ୟାଲେରିଗୁଡିକ ଜାଲିଆନାଓ୍ବାଲାବାଗର ସ୍ମୃତି ଓ ଘଟଣାବଳୀ ଉପରେ ପର୍ଯ୍ୟବେସିତ । ସେହିପରି ସେହି ଐତିହାସିକ ଘଟଣାକୁ ବର୍ତ୍ତମାନର ପିଢି ସାମ୍ନାରେ ଆହୁରି ଜୀବନ୍ତ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ମଧ୍ୟ କରାଯାଇଛି । ଅଡିଓ-ଭିଜୁଆଲ୍ ଟେକ୍ନୋଲୋଜି ସହିତ ପ୍ରୋଜେକସନ ମ୍ୟାପିଂ ଏବଂ 3D ମାଧ୍ୟମରେ ମଧ୍ୟ ସମସ୍ତ ଘଟଣାବଳୀକୁ ପ୍ରଦର୍ଶିତ କରାଯାଇପାରିବ ।