ବେଙ୍ଗାଲୁରୁ:ପ୍ରଧାନମନ୍ତ୍ରୀ ମୋଦି ସକାଳୁ ସନ୍ଧ୍ୟା ଯାଏ ଛୋଟ ପିଲାଙ୍କ ଭଳି କାନ୍ଦୁଛନ୍ତି । ଏମିତି କାନ୍ଦିବା ତାଙ୍କର ଅଭ୍ୟାସ ହୋଇଗଲାଣି । କଂଗ୍ରେସ ନେତା ୯୧ ଥର ଗାଳି ଦେବା ସମ୍ପର୍କିତ ମୋଦିଙ୍କ ବୟାନ ଉପରେ ଏଭଳି କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । କଂଗ୍ରେସ ମୁଖିଆ କହିଛନ୍ତି, ''କଂଗ୍ରେସ ନେତା ମୋଦିଙ୍କୁ ୯୧ ଥର ଅପମାନିତ କରିଥିବା କଥା ସେ କହୁଛନ୍ତି । କିନ୍ତୁ ଅତୀତରେ କଂଗ୍ରେସ ନେତାଙ୍କ ପ୍ରତି ନିଜେ ବ୍ୟବହାର କରିଥିବା ଶବ୍ଦକୁ ଭୁଲି ଯାଇଛନ୍ତି । ସେମାନେ ସୋନିଆ ଗାନ୍ଧୀଙ୍କୁ ବିଧବା ଓ ଇଟାଲି ଝିଅ ଏବଂ ରାହୁଲ ଗାନ୍ଧୀଙ୍କୁ ହାଇବ୍ରିଡ ସମ୍ବୋଧିତ କରିଛନ୍ତି ।''
ଯଦିଓ ଅନେକ ଥର କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ଏଭଳି ଅପମାନଜନକ ଶବ୍ଦର ବ୍ୟବହାର କରାଯାଇଛି କିନ୍ତୁ ଆମମାନଙ୍କ ମଧ୍ୟରୁ କେହି କେବେ ବି ମୋଦିଙ୍କ ଭଳି କାନ୍ଦି ନାହାନ୍ତି ବୋଲି ଖଡଗେ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଜାଣିଛୁ ଏହା ଯୁଦ୍ଧ ଅଟେ । ଯଦି କେବଳ ବସି କାନ୍ଦିବେ ତାହେଲେ ଆପଣ କାମ କରିପାରିବେ ନାହିଁ । ମୋଦି ବାରମ୍ବାର ନିଜକୁ ପଛୁଆ ଶ୍ରେଣୀରୁ ଆସିଥିବାର କହୁଛନ୍ତି । ହେଲେ ସେ ଭୁଲିଯିବା ଅନୁଚିତ ଯେ ମୁଁ ଜଣେ ଦଳିତ ।