ନୂଆଦିଲ୍ଲୀ:ଦେଶରେ କୋଭିଡ ସ୍ଥିତି କ୍ରମଶଃ ଗମ୍ଭୀର ହେବାରେ ଲାଗିଥିବାବେଳେ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଆଜି (ରବିବାର) ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଜାରି ରହିଥିବା ସୂଚନା ରହିଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭ୍ୟ, ଗୃହ ସଚିବ ଅଜୟ କୁମାର ଭାଲା, କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।
ଆଜି (ରବିବାର) ଗୋଟିଏ ଦିନରେ ଦେଶରେ 1.5 ଲକ୍ଷରୁ ଊର୍ଦ୍ଧ୍ବ ନୂତନ କୋଭିଡ ମାମଲା ସାମ୍ନାକୁ ଆସିଥିବାବେଳେ ନୂତନ ପ୍ରଜାତି ଓମିକ୍ରନ ସଂକ୍ରମଣ ମଧ୍ୟ 3,623 ରେ ପହଞ୍ଚିଛି । ସ୍ଥିତି କ୍ରମଶଃ ଗମ୍ଭୀର ହେଉଥିବାବେଳେ ଏହି ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 1,59,632 ନୂତନ କୋଭିଡ ମାମଲା ରିପୋର୍ଟ ହୋଇଛି । ତେବେ ଆଜିର ସ୍ଥିତିକୁ ଦେଖିଲେ ଦେଶରେ ସଂକ୍ରମଣ ହାର 10.21 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।