ନୂଆଦିଲ୍ଲୀ:ପ୍ରଗତି ମୈଦାନ କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକ । ଏଥିରେ ପ୍ରାୟ ସମସ୍ତ କେନ୍ଦ୍ରମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି । ମନ୍ତ୍ରୀମାନେ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ନେଇ ସେମାନଙ୍କ ବିଭାଗୀୟ ରିପୋର୍ଟ ଉପସ୍ଥାପନ କରିବା ନେଇ ସୂଚନା ମିଳିଛି ।
ଆସନ୍ତାବର୍ଷ (2024) ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ଯ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇପାରନ୍ତି । ଏହା ବ୍ୟତୀତ ଚଳିତ ମାସ 20 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନ ପାଇଁ ସରକାରଙ୍କ ଏଜେଣ୍ଡା ସମ୍ପର୍କରେ ମଧ୍ଯ ଆଲୋଚନା ହେବ ।
ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ, ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ବି.ଏଲ ସନ୍ତୋଷ ଓ ପାର୍ଟି ମୁଖ୍ଯ ଜେପି ନଡ୍ଡାଙ୍କ ସହ ବୈଠକ କରିଥିଲେ । ପ୍ରଥମ ଥର ତିନିଟି ଜୋନରେ ବିଜେପି ବୈଠକ କରିବାକୁ ଯାଉଛି । ଆସନ୍ତାବର୍ଷ 2024ରେ ସାଧାରଣ ନିର୍ବାଚନ ସାଙ୍ଗକୁ ଚଳିତ ବର୍ଷ ଛତିଶଗଡ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ମିଜୋରାମ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ତାର ରଣନୀତି ଆରମ୍ଭ କରିସାରିଲାଣି ।